ସୈନ୍ୟଙ୍କ ବିରତ୍ୱର ଗାଥା ବଖାଣୁଛି ‘ପରାକ୍ରମ ଶୋଭାଯାତ୍ରା’…

ଅପରେସନ୍ ସିନ୍ଦୁରର ସଫଳତାକୁ ନେଇ ସାରା ଦେଶରେ ଉତ୍ସବମୁଖର । ଓଡିଶାରେ ମଧ୍ୟ ବୀର ସୈନ୍ୟଙ୍କ ପରାକ୍ରମକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ‘ପରାକ୍ରମ ଶୋଭାଯାତ୍ରା’ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ‘ପରାକ୍ରମ ଶୋଭାଯାତ୍ରା’କୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ଓଡ଼ିଶା ପୋଲିସ, ସିଆରପିଏଫ, ୧୨୦ ବାଟାଲିୟନ, ଏନସିସି, ଟ୍ରାଫିକ ପୋଲିସ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ସାମାଜିକ ଅନୁଷ୍ଠାନ ପକ୍ଷରୁ ବାଇକ୍ ଶୋଭାଯାତ୍ରା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା, କ୍ରୀଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି । ଆଜିଠୁ ୧୦ ଦିନ ଧରି ଦେଶବ୍ୟାପୀ ଚାଲିବ ତ୍ରିରଙ୍ଗା ଯାତ୍ରା ।
ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ, ଯେତେବେଳେ ଏକଜୁଟ୍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୁଦ୍ଧରେ ସଫଳ ହେବେ ନାହିଁ । ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ । ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।