ଦୁର୍ନୀତିର ନୂଆ ତରିକା, ବିନା ଲେବରରେ କାର୍ଯ୍ୟ ଶେଷ କରିଦେଲେ ଠିକାଦାର…

ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ସେବକ ସାଜିଛନ୍ତି ନିରବଦ୍ରଷ୍ଟା
ଶ୍ରମିକ ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବାର ନୂଆଁ ଫନ୍ଦା ଆପଣେଇଛନ୍ତି ପଞ୍ଚାୟତ ପ୍ରତିନିଧି
ଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଓଡ଼ାପଡ଼ା ବ୍ଲକ୍ ଗୁଣୁଦେଇ ଗ୍ରାମ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମହା ଦୁର୍ନୀତି । କେନ୍ଦ୍ର ସରକାର ୨୦୦୫-୦୬ ମସିହାରେ ଗ୍ରାମାଞ୍ଚଳର ସମସ୍ତ ଶ୍ରମିକମାନଙ୍କୁ ରୋଜଗାର ଯୋଗାଇବା ଉଦେ୍ଦଶ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରିଥିଲେ । ଏହି ଯୋଜନାରେ କିପରି ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଉନ୍ନୟନ କାର୍ଯ୍ୟ ହୋଇପାରିବ, ସମସ୍ତ ଶ୍ରମିକମାନେ ସମାନ କାର୍ଯ୍ୟ ଓ ସମାନ ଦରମା ପାଇ ସ୍ୱାବଲମ୍ବୀ ହୋଇପାରିବେ ତାହା ସରକାରଙ୍କ ମୁଖ୍ୟ ଉଦେ୍ଦଶ୍ୟ ଥିବାବେଳେ ବର୍ତ୍ତମାନ ଏହି ଯୋଜନାରେ କେବଳ ଠିକାଦାର ଓ ସରକାରୀ ବାବୁମାନେ ନିଜେ ନିଜର ମୁନାଫା ପାଇବା ପାଇଁ ଯୋଜନାକୁ ବାଟମାରଣା କରିବାରେ ଲାଗି ପଡିଛନ୍ତି । ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ଅନେକ ପଞ୍ଚାୟତରେ ଏହିପରି ଦୁର୍ନୀତି ଦେଖିବାକୁ ମିଳିଥିବାବେଳେ ଗୁଣଦେଇ ଗ୍ରାମ ପଞ୍ଚାୟତରେ ଶ୍ରମିକ ମାନଙ୍କୁ ଧୋକା ଦେଇ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ପାଇଁ ଏକ ଅଭିନବ ଯୋଜନା ଆପଣାଇଛନ୍ତି ।
ଏପରିକି ବିନା ସୂଚନା ଫଳକରେ ବିନା ମୋଷ୍ଟର ରୋଲରେ ମେସିନ ସାହାଯ୍ୟରେ ରାତାରାତି କାର୍ଯ୍ୟ ସାରି ଶ୍ରମିକମାନଙ୍କ ପେଟରେ ଲାତ ମାରି ଶ୍ରମିକ ମାନଙ୍କ ଟଙ୍କା ହରିଲୁଟ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ତଥ୍ୟ ଅନୁଯାୟୀ ମାହାଦିଆ ହାଟ ପାଖ ଗ୍ରାମୀଣ ପାର୍କ, କାଉଁରିଆପାଳ ୟୁ.ପି ସ୍କୁଲଠାରୁ ଭାଗିରଥି ହାଉସ ରାସ୍ତା କାର୍ଯ୍ୟ ପ୍ରାୟ ତିନି ଭାଗ ସରି ଯାଇଥିବା ବେଳେ ଏପର୍ଯ୍ୟନ୍ତ ଶ୍ରମିକମାନଙ୍କ ଖାତାକୁ ପଇସାଟିଏ ବି ଯାଇନାହିଁ । ଏପଟେ ମଞ୍ଜୁର ହୋଇଥିବା କାର୍ଯ୍ୟାଦେଶର ପ୍ରାୟ ତିନି ଭାଗ କାର୍ଯ୍ୟ ସରି ଯାଇଥିବା ବେଳେ ବିଭାଗୀୟ ଯନ୍ତ୍ରୀଙ୍କ ପାଖରେ ସଠିକ୍ ଖବର ମଧ୍ୟ ନାହିଁ । ଆଗୁଆ ଠିକାଦାର ରାତା ରାତି ମେସିନ ଲଗାଇ କାମ ସାରି ଦେଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀ ଶ୍ରମିକମାନଙ୍କ ପଇସାକୁ ବାଟମାରଣା କରିବାକୁ ଯୋଜନା ପ୍ରସ୍ତୁତ ମଧ୍ୟ କରି ସାରିଛନ୍ତି । ସରକାର ଶ୍ରମିକମାନଙ୍କ ସ୍ୱାର୍ଥକୁ ନଜରରେ ରଖି ପାରିଶ୍ରମିକ ବଢାଇ ଥିବାବେଳେ ଗୁଣଦେଇ ପଞ୍ଚାୟତରେ ଠିକାଦାରଙ୍କ ଏହିପରି ଶ୍ରମିକ ମାରଣା ନୀତି ସରକାରଙ୍କୁ ବଦନାମ କରୁଛି ।
ଏ ବାବଦରେ ଗୁଣଦେଇ ଗ୍ରାମ ସେବକଙ୍କୁ ପଚାରିବାରେ ସେ କହିଛନ୍ତି କାମରେ ଭୁଲ ହେଇଛି ବୋଲି ପେମେଣ୍ଟ ଜିରୋ କରାଯାଇଛି । ଲେବର କାର୍ଯ୍ୟ କଲେ ହିଁ ଆମେ ଡିମାଣ୍ଡ ଦେବୁ । ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଜଣେଇଛୁ ଏବଂ ପରେ ଗୁଣଦେଇ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ସବୁ ଆଡେ ତ ମେସିନରେ କାମ ହେଉଛି ଏଠି ଖାଲି କଣ ଲେବର କାମ କଲେ ହିଁ ଡିମାଣ୍ଡ ଦେବୁ ପୂର୍ବରୁ ଭୁଲ କରିଛନ୍ତି ବୋଲି ପେମେଣ୍ଟ କରିନୁ ମେସିନରେ କାମ କରିବା କୌଣସି ନିୟମ ନାହିଁ ବୋଲି ପ୍ରକାଶ କରିଥିଲେ । କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ବିଡ଼ିଓ ଯାହା କହିବେ ଆଗକୁ କାର୍ଯ୍ୟ କରାଯିବ, ଆମେ ନିଜେ କିଛି କରି ପାରିବୁ ନାହିଁ ବୋଲି ପ୍ରକାଶ କରିଥିଲେ । ଶେଷରେ ସହକାରୀ ଯନ୍ତ୍ରୀ ଓ ବିଡ଼ିଓଙ୍କୁ ଫୋନ୍ ଯୋଗେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା ।