ବିକାଶର ସ୍ବପ୍ନ ସତ ନା ପ୍ରହସନ !

କନ୍ଧମାଳ, (ଫ୍ରିଟୁସ୍ପିକ୍/ କୁନା ଦିଗାଲ) : ବିକଶିତ ରାଜ୍ୟ ଗଢିବାର ସ୍ବପ୍ନ ନେଇ ଆଗେଇ ଚାଲିଛନ୍ତି ରାଜ୍ୟ ସରକାର । ମାତ୍ର ଗ୍ରାଉଣ୍ଡ ଜିରୋରେ ରହି ଏହାର ସ୍ବପ୍ନକୁ ପୂରଣ କରିବାର ସମୟ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ । ବିକଶିତ ରାଜ୍ୟର ପ୍ରଥମ ସୋପାନ ହେଉଛି ଉନ୍ନତ ଗମନାଗମନ । କିନ୍ତୁ ଆଜି ବି ରାଜ୍ୟର ଶତକଡା ସଂହଭାଗ ପଞ୍ଚାୟତରେ ଗମନାଗମନ ଅତି ନିମ୍ନ ମାନର । ରାଜ୍ୟ ରାଜକୋଷରୁ ଗମନାଗମନ ନିମନ୍ତେ ବ୍ୟୟ ଅଟକଳ ପ୍ରସ୍ତୁତ ହେଉଛି । ଏବଂ ଅନେକ ସ୍ଥାନରେ କାର୍ଯ୍ୟ ସମ୍ପାଦନ ହୋଇ ବିଲ୍ ପୈଠ ହେଉଛି । ମାତ୍ର ନିମ୍ନମାନର କାମକୁ ତଦାରଖ କରିବା ନିମନ୍ତେ ପ୍ରଶାସନ ଅବହେଳା କରୁଛି । ପିସି କାରବାର ସାଙ୍ଗକୁ ରାଜନୈତିକ ଚାପ ବିଭିନ୍ନ ସ୍ତରରେ ବିକାଶର ଚିତ୍ରକୁ ନିଷ୍ପେସିତ କରୁଥିବା ଦେଖିବାକୁ ମିଳିଛି ।
ଆମେ କହୁଛୁ କନ୍ଧମାଳ ଜିଲ୍ଲା କଥା । ଜିଲ୍ଲା ଅନେକ ଦୁର୍ଗମ ଗାଁକୁ ଏବେ ସୁଦ୍ଧା ରାସ୍ତା କିମ୍ବା ପୋଲ ନିର୍ମାଣ ହୋଇପାରିନି । ଫଳରେ ଲୋକେ ବର୍ଷ ବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି । ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ନୂଆପଦର ପଞ୍ଚାୟତ ଅନ୍ତର୍ଗତ ଲଇଯୋଡ଼ି ଗାଁ । ଗାଁର ଦାମାଜଢି ନଦୀରେ ପୋଲ ନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ବିଦ୍ୟୁତ୍ ଖୁଣ୍ଟ ପକାଇ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରନ୍ତି । ବର୍ଷା ଦିନେ ଗ୍ରାମବାସୀଙ୍କ କଥା ନ କହିବା ଭଲ । ଚନ୍ଦ୍ରକୁ ମଣିଷର ଯାତାୟାତ ସମ୍ଭବ ହୋଇଥିବାବେଳେ ବର୍ଷା ଦିନେ ଏହି ଗାଁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ଏ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା ଫଳଘର ଶୂନ୍ୟ । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ସରକାର ଏ ଦିଗରେ କେତେ ଯତ୍ନବାନ ହେଉଛନ୍ତି ଏବଂ କେବେ ଗ୍ରାମବାସୀଙ୍କ ଭାଗ୍ୟ ଉଦୟ ହେଉଛି ।