ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ୯୬ ପ୍ରତିଶତ । ପ୍ରକାଶ ପାଇଲା ଦଶମ ପରୀକ୍ଷା ଫଳ…

ପ୍ରକାଶ ପାଇଲା ଦଶମ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ ଅଫିସର ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚିତ ହୋଇଛି । ଚଳିତ ଥର ମାଟ୍ରିକରେ ୯୪.୯୩ ପ୍ରତିଶତ ରେଜଲ୍ଟ ହୋଇଛି । ପୁଅଙ୍କ ପାସ ହାର ୯୪ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ । ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ । ଏହା ସହିତ, ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ବୋର୍ଡ ପକ୍ଷରୁ ଉପଲବ୍ଧ କରାଯିବ। ଯେଉଁମାନେ ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃ ମୂଲ୍ୟାୟନ କିମ୍ବା ପୁନଃଯାଞ୍ଚ ପାଇଁ ଆବେଦନ କରିପାରିବେ ।
ଚଳିତ ବର୍ଷ ରାଜ୍ୟର ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨ ହଜାର ୪୧୭ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥଲେ । ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଜଣ । ତେବେ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ। B2 ଗ୍ରେଡ ପାଇଛନ୍ତି ୮୪,୯୭୧ ଜଣ ଛାତ୍ରଛାତ୍ରୀ । C ଗ୍ରେଡ ୧ ଲକ୍ଷ ୩୩ ହଜାର ୮୮୨ ଜଣ ଛାତ୍ରଛାତ୍ରୀ ପାଇଥିବାବେଳେ D ଗ୍ରେଡ ପାଇଛନ୍ତି ୧ ଲକ୍ଷ ୪୬ ହଜାର ୧୫୪ ଜଣ ଛାତ୍ରଛାତ୍ରୀ । E ଗ୍ରେଡ ପାଇଛନ୍ତି ୭୬,୦୧୩ ଜଣ ଛାତ୍ରଛାତ୍ରୀ ଏବଂ F ଗ୍ରେଡ ପାଇଛନ୍ତି ୭,୩୮୪ ଜଣ ଛାତ୍ରଛାତ୍ରୀ । ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୫ ପ୍ରତିଶତ ରହିଛି । ସେହିଭଳି କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ ହାର ୯୨.୮୩ ପ୍ରତିଶତ ଅଛି ।