ରାଜନୈତିକ ପଶାପାଲିରେ ହନ୍ତସନ୍ତ ହିତାଧିକାରୀ…

• ହିନ୍ଦୋଳରେ ପୁଣି ରାସନ ତାତି
• ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ରାଜ୍ୟ ସରକାର ଗରିବ ପରିବାରକୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଇ ଦେଉଛନ୍ତି । ସେଥିପାଇଁ ଗ୍ରାମ ଗୁଡିକରେ ରାସନ ସାମଗ୍ରୀ ବିତରଣ କେନ୍ଦ୍ର ଖୋଲାଯାଇ ଲୋକମାନଙ୍କୁ ସୁବିଧାରେ ଚାଉଳ ଯୋଗାଇ ଦିଆଯାଉଅଛି । ତେବେ ହୀନ ରାଜନୀତି କରି ନିଜ ସମର୍ଥକଙ୍କ ଦ୍ୱାରା ଅଭିଯୋଗ କରାଇ ଯୋଗାଣ ବିଭାଗକୁ ହାତବାରିଶୀ କରି ହିନ୍ଦୋଳ ଉପଖଣ୍ଡରେ ଥିବା ରାସନ ସାମଗ୍ରୀ ବିତରଣ କେନ୍ଦ୍ର ମଧ୍ୟରୁ ୧୯ ଟି କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଥିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ଦଣ୍ଡିରି, ଅସରଡା, ବ୍ରହ୍ମପୁର ଗ୍ରାମର ହିତାଧିକାରୀମାନେ ଏହି ସ୍ଥାନାନ୍ତରକୁ ବିରୋଧ କରି ଅସନ୍ତୋଷ ଜାହିର କରିଥିବା ବେଳେ ଏବେ ଗିରିଧରପ୍ରସାଦ ଗ୍ରାମରେ ଥିବା ୫୯୮ ଜଣ ହିତାଧିକାରୀ ଏହାର ଘୋର ବିରୋଧ କରିଛନ୍ତି । ଏ ନେଇ ବାଲିମି ବାବନ୍ଧ ରାସ୍ତାକୁ ଗ୍ରାମବାସୀମାନେ ଅବରୋଧ କରିଥିଲେ । ଗ୍ରାମରେ ଦୁଇଟି ବିତରଣ କେନ୍ଦ୍ର ଥିବାବେଳେ ଏହି କେନ୍ଦ୍ର ଗୁଡିକ ବନ୍ଦ କରାଯାଇ ବଡ ବାହାଳ କେନ୍ଦ୍ରରେ ମିଶ୍ରଣ ହେବା ଯୋଗୁଁ ଏହାକୁ ପ୍ରତିବାଦ କରି ରାସ୍ତାରୋକ ହୋଇଥିଲା ।
ତଥ୍ୟ ଅନୁସାରେ, ଗିରିଧରପ୍ରସାଦଠାରୁ ବଡବାହଳ ୭ କିଲୋମିଟର ରାସ୍ତା ହୋଇଥିବା ବେଳେ ରାସ୍ତାଟି ନିଛାଟିଆ ଓ ଜଙ୍ଗଲି ହାତୀଙ୍କ ଭୟ ଥିବା ଯୋଗୁଁ ଏତେ ଦୂର ଯାଇ ଜୀବନକୁ ବାଜି ଲଗାଇ ରାସନ ସାମଗ୍ରୀ ଆଣିବା କଷ୍ଟକର ହୋଇ ପଡିବ ବୋଲି ହିତାଧିକାରୀ ପ୍ରକାଶ କରିଛନ୍ତି । ସେପଟେ କିଛି ହିତାଧିକାରୀ ରାସନ ସାମଗ୍ରୀ ଆଣିବାକୁ ଯାଇଥିବାବଳେ ରାସନ ସାମଗ୍ରୀ ମୂଲ୍ୟଠାରୁ ଅଟୋ ଭଡା ତିନିଗୁଣ ହୋଇଥିବା କହିଛନ୍ତି । ଯଦ୍ୱାରା ରାସନ ସାମଗ୍ରୀ ଆଣିବା ଏକ ପ୍ରକାର କଷ୍ଟକର ହୋଇପଡିବ ବୋଲି ହିତାଧିକାରୀ କହିଛନ୍ତି । ହିତାଧିକାରୀଙ୍କ କହିବା କଥା ହେଲା, ପୂର୍ବରୁ ନିଯୁକ୍ତି ପାଇଥିବା ଡିଲରମାନେ ରାସନ ସାମଗ୍ରୀ ଦେବାରେ କୌଣସି ଅସୁବିଧା କରୁନଥିଲେ ମଧ୍ୟ ରାଜନୈତିକ ଚାପ ଯୋଗୁଁ ଉକ୍ତ ଦୁଇ ଜଣ ଡିଲରଙ୍କୁ ବଦଳାଇ ଦିଆଯାଇଛି । ତେଣୁ ସେମାନେ ସମ୍ପୃକ୍ତ ଡିଲରଙ୍କ ବ୍ୟତୀତ ଅନ୍ୟ ଡିଲରଙ୍କଠାରୁ ରାସନ ସାମଗ୍ରୀ ଗ୍ରହଣ କରିବେ ନାହିଁ ବୋଲି ଦାବି କରିଛନ୍ତି ।
ଅପରପକ୍ଷେ ରାସ୍ତାରୋକ ଖବର ପାଇ ରାସୋଳ ଥାନା ଅଧିକାରୀ ବିଧୁଭୂଷଣ ମିଶ୍ର ଓ ହିନ୍ଦୋଳ ଯୋଗାଣ ଅଧିକାରୀ ପୁଷ୍ପେଷ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ବିତରଣ କେନ୍ଦ୍ର ବଦଳିକୁ ବାତିଲି କରିବା ପାଇଁ ଲିଖିତ ଭାବେ ଦେବାପରେ ଲୋକମାନେ ଧାରଣାରୁ ଓହରିଥିଲେ । ଆଗାମୀ ଦିନରେ ଯଦି ଏଭଳି ନୀତି ବନ୍ଦ ନ ହୁଏ ତେବେ ଆଗକୁ ଜନଅସନ୍ତୋଷ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଥିବା ଜଣାପଡିଛି ।