ମହିଳାଙ୍କୁ ବ୍ଲାକମେଲ୍ କରି ଜେଲ ଗଲେ ପ୍ରତାରକ ଯୁବକ…

ମାହାଙ୍ଗା, (ଏଫ୍ଟୁଏସ୍/ ଅଭୟ ଜେନା) : ଜଣେ ବିବାହିତା ମହିଳାଙ୍କ ସହ ପ୍ରଥମେ ସଂପର୍କ ସ୍ଥାପନା କରିବା ଓ ପରେ ସୋସିଆଲ ମିଡିଆରେ ଫୋଟୋ ଭାଇରାଲ୍ କରି ବ୍ଲାକମେଲ୍ କରିବା ମହଙ୍ଗା ପଡ଼ିଛି ଯୁବକଙ୍କୁ । ଶେଷରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି । ଗିରଫ ଯୁବକ ଜଣଙ୍କ କଟକ ମାହାଙ୍ଗା ଥାନା ମଲ୍ଲିପୁରା ଗ୍ରାମର ଶିବାନନ୍ଦ ସ୍ୱାଇଁ । ଶିବାନନ୍ଦ ସେହି ମାହାଙ୍ଗା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ପ୍ରଥମେ ସଂପର୍କ ସ୍ଥାପନ କରିଥିଲା । ପରେ ମହିଳାଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋକୁ ତାଙ୍କ ଅଜାଣତରେ ମୋବାଇଲରେ ଉଠାଇ ରଖିଥିଲା । ସେହି ଫୋଟକୁ ଦେଖାଇ ମହିଳାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ଏବଂ ଫୋଟକୁ ସୋସିଆଲ ମିଡିଆରେ ଛାଡ଼ିଦେବାକୁ ଧମକ ଦେଇ ବ୍ଲାକ ମେଲିଂ କରି ଟଙ୍କା ଲୁଟିବାକୁ ଆରମ୍ଭ କରିଦେଇଥିଲା । ମହିଳା ଜଣଙ୍କ ବାରମ୍ବାର ସଂପୃକ୍ତ ଯୁବକର ଶିକାର ହେବା ପରେ ଏହାର ପ୍ରତିବାଦ କରିଥିଲେ । ଶିବାନନ୍ଦ ମହିଳାଙ୍କ ଘରେ ପହଞ୍ଚି ଜୀବନରୁ ମାରିଦେବାକୁ ଧମକ ଦେବାପରେ ମହିଳା ଜଣଙ୍କ ତାଙ୍କ ପରିବାରକୁ ଜଣାଇବା ସହ ମାହାଙ୍ଗା ଥାନାର ଦ୍ୱାରସ୍ଥ ହୋଇଥିଲେ । ମାହାଙ୍ଗା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଶେଷରେ ମାହାଙ୍ଗା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଶିବାନନ୍ଦକୁ ଭୁବନେଶ୍ୱରରୁ ଗିରଫ କରି ମାହାଙ୍ଗା ଥାନାକୁ ଆଣିଥିଲା । ଅଧିକ ପଚରା ଉଚରା ପରେ ମାହାଙ୍ଗା ପୋଲିସ ସଂପୃକ୍ତ ଯୁବକ ଶିବାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।