ବଢ଼ୁଛି ଓମଫେଡ୍ ଘିଅର ଚାହିଦା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓମଫେଡ୍ ଘିଅର ଚାହିଦା ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓମଫେଡ୍ ୧୯୯୬-୯୭ ଆର୍ଥିକ ବର୍ଷରୁ ଘିଅ ଉତ୍ପାଦନ ଆରମ୍ଭ କରିଥିଲା । ଆରମ୍ଭରେ ଓମଫେଡ୍ ର ଉତ୍ପାଦନ କ୍ଷମତା ଥିଲା ମାତ୍ର ୪-୫ ମେଟ୍ରିକ ଟନ୍ । ସେତେବେଳେ ବିକ୍ରି ହେଉଥିଲା ମାସିକ ୧.୫ ମେଟ୍ରିକ୍ ଟନ୍ । ମାତ୍ର ଆଜିକା ଦିନରେ ଏହାର ଦୈନିକ ଉତ୍ପାଦନ କ୍ଷମତା ୧୦ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି । ଅର୍ଥାତ୍ ଓମଫେଡ୍ ମାସିକ ୩୦୦ ମେଟ୍ରିକ୍ ଟନ୍ ଘିଅ ଉତ୍ପାଦନ କରିବାର କ୍ଷମତା ରଖିଛି । ସେହିପରି ବିକ୍ରି ମଧ୍ୟ ବହୁ ଗୁଣରେ ବୃଦ୍ଧି ପାଇଛି । ସଂପ୍ରତି ଜଗନ୍ନାଥଙ୍କ ମନ୍ଦିରରେ କେବଳ ଓମଫେଡ୍ ଘିଅ ଲାଗି ହେବା ପାଇଁ ନିଷ୍ପତି ହେବା ପରଠାରୁ ଏହାର ବିକ୍ରି ବହୁ ଗୁଣରେ ବୃଦ୍ଧି ପାଇଛି । ଏବେ ହାରାହାରି ମାସିକ ୧୩୫ ମେଟ୍ରିକ୍ ଟନ୍ ଓମଫେଡ୍ ଘିଅ ବିକ୍ରି ହେଉଛି । ଅର୍ଥାତ ଦୈନିକ ହାରାହାରି ୪.୫ ମେଟ୍ରିକ୍ ଟନ୍ ଘିଅ ବିକ୍ରି ହେଉଛି । ଗତ ଅକ୍ଟୋବର ମାସରେ ୧୮୫.୬୩ ମେଟ୍ରିକ୍ ଟନ୍ ଘିଅ ବିକ୍ରି ହୋଇଥିବା ଓମଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଓମଫେଡ୍ ଘିଅର ଚାହିଦା ହଠାତ୍ ବୃଦ୍ଧି ପାଇବାର କେତେକ କାରଣ ରହିଛି ।
ସେଗୁଡିକ ମଧ୍ୟରୁ ପ୍ରଥମ କାରଣ ହେଲା ଏହା ଏକ ସରକାରଙ୍କ ନିୟନ୍ତ୍ରଣାଧୀନ ଏକ ସମବାୟ ସଂସ୍ଥା । ତେଣୁ ଏଥିରେ ଅପମିଶ୍ରଣ ହେବାର କୌଣସି ସମ୍ଭାବନା ନାହିଁ । ସେଥି ପାଇଁ ଲୋକମାନଙ୍କର ଅତୁଟ ଭରସା ରହିଛି । ଦ୍ୱିତୀୟ କାରଣ ହେଲା ଓଡିଆ ଅସ୍ମିତା ସହ ଓମଫେଡ୍ ଜଡିତ । କାରଣ ଏଥିରେ ଓଡିଶାର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କ ସଂପୃକ୍ତି ରହିଛି । ସେମାନଙ୍କ ଦ୍ୱାରା ଓମଫେଡ୍ କୁ ଦିଆଯାଉଥିବା ଖାଂଟି କ୍ଷୀରରୁ ଏହି ଗୁଆଘିଅ ପ୍ରସ୍ତୁତ ହେଉଛି । ଗତ ଅକ୍ଟୋବର ୨ ତାରିଖରୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କେବଳ ଓମଫେଡ୍ ଘିଅ ହିଁ ଲାଗି ହେଉଛି । ଏହା ଦ୍ୱାରା ଲୋକମାନଙ୍କର ଭରସା ଓମଫେଡ୍ ପ୍ରତି ବହୁ ଗୁଣରେ ବୃଦ୍ଧି ପାଇଛି । ତୃତୀୟ କାରଣ ହେଉଛି ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ ପୂର୍ବକ ଓମଫେଡ୍ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଘିଅ ପ୍ରକ୍ରିୟାକରଣ କରୁଛି । ଯାହା ଅନ୍ୟମାନଙ୍କ ପ୍ରକ୍ରିୟାକରଣ ପଦ୍ଧତିଠାରୁ ଭିନ୍ନ । ତେଣୁ ଓମଫେଡ୍ ଘିଅର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ଏହି ଘିଅ ଏବେ ସହରାଂଚଳରୁ ଗ୍ରାମାଂଚଳକୁ କ୍ରମେ କ୍ରମେ ପରିବ୍ୟାପ୍ତ ହେଉଛି । ଏବେ ବଜାରରେ ଓମଫେଡ୍ ର ୧୫ ଲିଟରିଆ ଗୁଆଘିଅ ଟିଣ ପ୍ୟାକିଂ ମିଳୁଥିବା ବେଳେ ୫ ଲିଟର ଟିଣ, ପଲି ଜାର୍ ପ୍ୟାକ୍ ମିଳୁଛି । ସେହି ପରି ୧ ଲିଟର, ୫୦୦ ଓ ୨୦୦ ମିଲି ଲିଟର ଟିଣ ଡବା, ପଲି ଜାର୍ ଓ ପାଉଚ୍ ମଧ୍ୟ ବଜାରରେ ଉପଲବ୍ଧ ହେଉଛି । ଏହା ବ୍ୟତୀତ ୧୫ ମିଲି ଲିଟର ପାଉଚ୍ ମଧ୍ୟ ବଜାରରେ ମିଳୁଛି । ତେଣୁ ଗ୍ରାହକମାନଙ୍କର ଚାହିଦା ମେଂଟାଇବାରେ ଓମଫେଡ୍ ବେଶ୍ ସକ୍ଷମ ହୋଇପାରିଛି । ଆଗାମୀ ଦିନରେ ରାଜ୍ୟ ବାହାରକୁ ଓମଫେଡ୍ ଘିଅ ଛାଡିବାକୁ ଯୋଜନା ରଖିଛି । ଆବଶ୍ୟକ ହେଲେ ଓମଫେଡ୍ ଘିଅ ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ।