ଗୋରୁ ବୋଝେଇ ପିକଅପ୍ ସହ ତିନି ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ମାଫିଆ ଗିରଫ…

ପୂର୍ବରୁ ଗୁଳିଚାଳନା କରି ଆତଙ୍କ ସୃଷ୍ଟି କରିଥିବା ଅପରାଧ ସନ୍ଦେହ
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ତିନି ଗୋରୁ ମାଫିଆଙ୍କୁ କାବୁ କରିବା ସହ ୧୮ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ୍ । ଏହି ଘଟଣାରେ ଏକ ପିକଅପ ଭ୍ୟାନ ଓ ଏକ ଥର ଗାଡି ଜବତ କରିଥିବା ଜଣା ପଡ଼ିଛି । ଗୋରୁ ମାଫିଆମାନେ ହିନ୍ଦୋଳ ଥାନା ଅନ୍ତର୍ଗତ ମହାଲୁଣ୍ଡା ଅଞ୍ଚଳରୁ ଗୋରୁ ଚାଲାଣ କରୁଥିବା ନେଇ ବିଶେଷ ସୂତ୍ରର ସୂଚନା ପାଇଥିଲା ହିନ୍ଦୋଳ ଥାନା ପୋଲିସ । ଏ ନେଇ ଭୋର ୫ଟାରେ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ପୋଲିସ କର୍ମଚାରୀମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମହାଲୁଣ୍ଡାରୁ ସାତମାଇଲ ମଧ୍ୟରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ନମ୍ବର ଓଡି୦୫ଏସି୬୪୧୫ ଏବଂ ତାକୁ ପାଇଲଟିଙ୍ଗ କରୁଥିବା ଥର ଗାଡି ନମ୍ବର ଓଡି୦୫ବିଇ୫୯୯୯ କୁ ଧରିଥିଲେ । ପିକଅପରେ ଥିବା ଚାଳକ ଏବଂ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଥର ଗାଡ଼ିରେ ଥିବା ତିନି ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଗୋରୁ ମାଫିଆଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ କଟକ ତିଗିରିଆ ଥାନା ପଙ୍କାଳର ରାହୁଲ ଓରଫ ମସୁରୁଲ ଅଲ୍ଲୀ ଖାଁନ, ଲକି ଓରଫ ଅରିୟାନ ଖାଁନ ଓ କରଡ଼ାପଲ୍ଲୀ ଅଞ୍ଚଳର ପିପୁନ ଓରଫ ବେସାରତ ଖାଁନ । ତେବେ ନିର୍ଦ୍ଦୟ ଭାବରେ ଚାଲାଣ ହେଉଥିବା ୧୮ ଟି ଗୋରୁ ମାନଙ୍କ ଭିତରୁ ଦୁଇଟି ଗାଈ ମରିଯାଇଥିବାବେଳେ ଆଉ କେତୋଟି ମୃତ୍ୟୁ ଅପେକ୍ଷାରେ ଥିବା ଦେଖାଯାଇଛି ।
କିଛିଦିନ ପୂର୍ବରୁ ହିନ୍ଦୋଳ ଏନ୍ଏସି ଅଞ୍ଚଳରେ ଗୁଳି ଚାଳନା କରି ଅଞ୍ଚଳବାସୀଙ୍କୁ ଭୟଭୀତ କରିଥିବା ଏବଂ ଧରାପଡି ନଥିବା ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଗୋରୁ ମାଫିଆଙ୍କ ସହ ଥର ଗାଡ଼ି ଧରା ପଡ଼ିଥିବା ତିନି ଅପରାଧୀଙ୍କ ସଂଯୋଗ ରହିଥିବା ଏବଂ ଏମାନଙ୍କ ନେଟୱାର୍କ ଚାରିଆଡେ ବ୍ୟାପିଥିବା ଅଞ୍ଚଳବାସୀ ଅନୁମାନ କରିଥିବା ଜଣା ପଡ଼ିଛି । ପୋଲିସ୍ ଜବତ ଗାଡ଼ି ଦୁଇଟିକୁ ହିନ୍ଦୋଳ ଥାନା ପରିସରରେ ଅଟକ ରଖି ଏନେଇ ଅଧିକ ତଦନ୍ତ ଜାରି ରଖିବା ସହ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।