ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ବ୍ୟତିକ୍ରମ । ୟୁଟୁବ ଏବଂ ଫେସବୁକ୍ ପ୍ରେମରେ ବାଇ ଉଚ୍ଚ ପଦସ୍ଥ ଅଧିକାରୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୧୧ଟି ବିଭିନ୍ନ ଅଭିଯୋଗପତ୍ର ପଞ୍ଜିକରଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୦୦ଟି ବ୍ୟକ୍ତିଗତ, ୨ଟି ଗୋଷ୍ଠୀ ସମସ୍ୟା, ୩ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି, ୬ଟି ରେଡକ୍ରସ୍ ସମ୍ବନ୍ଧୀୟ ଅଭିଯୋଗ ରହିଥିଲା । ସେଥିମଧ୍ୟରୁ ୨୯ଟି ଅଭିଯୋଗର ଆପୋସ ଫଇସଲା ହୋଇଥିଲା । ରେଡକ୍ରସ୍ ଓ ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠି ଓ ରେଡକ୍ରସ୍ ସହାୟତା ବାବଦରେ ସମୁଦାୟ ୩୪,୮୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାର ସମସ୍ତ ପଦସ୍ଥ ଅଧିକାରୀଙ୍କ ସମେତ ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଯୋଗ ଦେଇ କାର୍ଯ୍ୟରେ ସହଯୋଗ କରିଥିଲେ । ସରକାରୀ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ଜିଲ୍ଲା କର୍ମ ନିୟୋଜନ ଅଧିକାରିଣୀ ଆରମ୍ଭରୁ ନିଜ ମୋବାଇଲ ଫୋନ ଯୋଗେ ୟୁଟ୍ୟୁବ୍ ଓ ଫେସବୁକରେ ବ୍ୟସ୍ତ ରହିଥିବାର ବ୍ୟତିକ୍ରମ ଦେଖି ଶେଷରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲୋଡ଼ିବାରୁ ସେ ନିରବ ରହିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିସହିତ ସଂପୁକ୍ତ ଅଧିକାରୀଙ୍କ ସମେତ ଅନ୍ୟ କେତେକ ଅଧିକାରୀ ମଧ୍ୟ ସମାନ କାର୍ଯ୍ୟରେ ବ୍ୟସ୍ତ ରହିଥିବା ନଜରକୁ ଆସିଥିଲା ।