ପରପାରିରେ ପରୋପକାରୀ ମଣିଷ ଚୈତନ ବେହେରା…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ସମତି ସଭ୍ୟଙ୍କ ଅକାଳ ବିୟୋଗରେ ସାରା ହିନ୍ଦୋଳ ସ୍ତବ୍ଧ । ଖବରରୁ ପ୍ରକାଶ ଯେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଉଁଶପୋଖରୀ ପଞ୍ଚାୟତ ସମିତି ସଭ୍ୟ ଚୈତନ ବେହେରା (୪୬)ଙ୍କର ଆଜି ଅସୁସ୍ଥତା ହେତୁ ନିଜ ବାସଭବନ ନୂଆକୋଟ ଡିହସାହିରେ ପରଲୋକ ହୋଇଯାଇଛି । ଚୈତନ ନିର୍ବାଚନ ପରଠାରୁ ସ୍ନାୟୁଗତ ରୋଗରେ ଆକ୍ରାନ୍ତ ହେବାସହ ଗତ ଏକବର୍ଷ ହେବ ଶଯ୍ୟାଶାୟୀ ହୋଇ ଚିକିତ୍ସାଧୀନ ଥିଲେ । ସ୍ୱର୍ଗତଃ ଚୈତନ ପୂର୍ବରୁ ଥରେ ନାଏବ ସରପଞ୍ଚ ଥିବା ସହ ୱାର୍ଡମେମ୍ବର ଭାବେ ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି । ଚୈତନ୍ୟଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ଖବରପାଇ ଢେଙ୍କାନାଳର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ମହେଶ ସାହୁ ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଞ୍ଚଳର ଜଣେ ପରୋପକାରୀ ମେଳାପୀ ବ୍ୟକ୍ତିଙ୍କ ବିୟୋଗରେ ହିନ୍ଦୋଳ ବ୍ଲକ ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବି ପ୍ରସାଦ ପଟ୍ଟନାୟକ, ଢେଙ୍କାନାଳ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଦାସ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ବ୍ଲକ ଅଧ୍ୟକ୍ଷକ୍ଷ ସସ୍ମିତା ନାଏକ, ଉପାଧ୍ୟକ୍ଷ ବରୁଣ ସର, ବାଉଁଶପୋଖରୀ ସରପଞ୍ଚ ରଣଜିତ ପ୍ରଧାନ, ବହୁ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହି ସ୍ୱର୍ଗତ ଚୈତନ୍ୟ ବେହେରାଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ସ୍ୱର୍ଗତଃ ଚୈତନ୍ୟଙ୍କ ଶେଷ ଦର୍ଶନ ନିମନ୍ତେ ସମଗ୍ର ପଞ୍ଚାୟତବାସୀ, ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

ସ୍ୱର୍ଗତ ଚୈତନ୍ୟ ଜଣେ ପରୋପକାରୀ, ମେଳାପୀ, ମିଷ୍ଠଭାସି, ଜନପ୍ରିୟ ଜନପ୍ରତିନିଧି ରହିବାସହ ଅଞ୍ଚଳର ବିକାଶରେ ତାଙ୍କ ଯୋଗଦାନ ସବୁଦିନପାଇଁ ତାଙ୍କୁ ଚିରସ୍ମରଣୀୟ କରିରଖିବ । ସମିତିସଭ୍ୟ ଚୈତନ୍ୟ ବେହେରାଙ୍କ ଅକାଳ ବିୟୋଗରେ ଫ୍ରିଟୁସ୍ପିକ୍ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ।