ବିବାଦ ଘେରରେ ବୋଲଗଡ଼ ତହସିଲଦାର, ପୁରୁଣା ପ୍ରକୃତି ଛାଡିବାକୁ ନାରାଜ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ବିବାଦ ଘେରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତହସିଲ କାର୍ଯ୍ୟାଳୟ । ଏହାର ପ୍ରମୁଖ କାରଣ ହେଉଛି ତହସିଲଦାର ଓ ଓକିଲ ସଂଘ ମଧ୍ୟରେ ଚାଲିଥିବା ବିବାଦ । ଏଠାରେ ସୂଚନା ଯୋଗ୍ୟ ଯେ ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ଜନୈକ ମହିଳାଙ୍କୁ ଦୁର୍ବ୍ୟବହାର ପଦର୍ଶନକୁ ନେଇ ଭିଡିଓ ଭାଇରାଲ ହେବାପରେ ରାତି ଅଧିଆ ତହସିଲଦାର ନିବେଦିତା ପରିଡାଙ୍କୁ ବୋଲଗଡ ତହସିଲକୁ ବଦଳି କରାଯାଇଥିଲା । ଗତବର୍ଷ ଅକ୍ଟୋବର ୬ତାରିଖରେ କାର୍ଯ୍ୟରେ ଯୋଗ ଦେବାଠାରୁ ଏଠାରେ ମଧ୍ୟ ସେଇ ପୁରୁଣା ଅଭ୍ୟାସକୁ ଦୋହରାଇ ବିବାଦ ଘେରରେ ରହିଛନ୍ତି ତହସିଲଦାର ।
ବୋଲଗଡ ଓକିଲ ସଂଘର କୋଷାଧ୍ୟକ୍ଷ ପୁରୁଷୋତ୍ତମ ସୁବୁଦ୍ଧି ଏକ ସତ୍ୟପାଠର ପ୍ରମାଣପତ୍ର କରିବାକୁ ଯାଉଥିବା ସମୟରେ ତାଙ୍କୁ ମଧ୍ୟ ତହସିଲଦାର ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଧମକ ଚମକ ଦେଇଥିବା ନେଇ ବୋଲଗଡ ଥାନାରେ ଏତଲା ହୋଇଥିଲେ । ଏହାକୁ ନେଇ ବୋଲଗଡ ଓକିଲ ସଂଘ ପକ୍ଷରୁ ମଧ୍ୟ ତହସିଲଦାରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାନାମ୍ବର ମାଝିଙ୍କୁ ମଧ୍ୟ ଖରାପ ବ୍ୟବହାର ପ୍ରଦର୍ଶନ କରି ତହସିଲ କାର୍ଯ୍ୟାଳୟରୁ ତଡି ଦେଇଥିବା ଅଭିଯୋଗ ରହିଛି । ସେହିଦିନ ଠାରୁ ତହସିଲଦାର ନିବେଦିତା ପରିଡା ବିବାଦ ଘେରରେ ରହିଛନ୍ତି । ଯାହାଫଳରେ ଜନସାଧାରଣଙ୍କର ସତ୍ୟପାଠ, ମ୍ୟୁଟେସନ, ପଟ୍ଟା ସମ୍ବନ୍ଧୀୟ , ଜମିଜମା ରେଜିଷ୍ଟସନ ସମ୍ବନ୍ଧୀୟ ଓକିଲମାନଙ୍କ ଦ୍ୱାରା ହେଉଥିବା କାର୍ଯ୍ୟ କରିବା ପାଇଁ ଗଲାବେଳେ ଏହାକୁ ଅଣଦେଖା କରୁଥିବା ଓକିଲ ସଂଘର ସମ୍ପାଦିକା ଗୈାରୀ ଦେବୀ ଅଭିଯୋଗ କରିଛନ୍ତି ।
ଏହା ବିରୁଦ୍ଧରେ ବୋଲଗଡ ଓକିଲ ସଂଘ ପକ୍ଷରୁ ଗତ ଜୁଲାଇ ମାସ ୧ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ସମୟରେ ତହସିଲଦାରଙ୍କ ବଦଳି ପାଇଁ ଅଭିଯୋଗ କରିଥିଲେ । ଏହାର ନଂ ହେଲା-ଆରଇଭି -୦୬୧-୬୧୧ ଅଟେ । ଏହି ଅଭିଯୋଗର ତଦନ୍ତ କରାଯାଇ ଗତ ତା୧୭.୧୦.୨୦୨୪ରେ ସରକାରଙ୍କ ବଦଳି ତାଲିକାରେ କ୍ରମିକ ନଂ-୧୦୬ ଅନୁଯାୟୀ ତାଙ୍କର ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ତୁରନ୍ତ ତାଙ୍କର ବଦଳିକୁ କାର୍ଯ୍ୟକାରୀ କରିବାପାଇଁ ଜନସାଧାରଣ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସଂଘ, ସ୍ୱୟଂ ସହାୟିକା ଗୋଷ୍ଠୀ, ନିର୍ବାଚିତ ଜନପ୍ରତିନିଧି ଓ ଓକିଲ ସଂଘ ଦୃଢ଼ ଦାବୀ କରିଛନ୍ତି ।