ବାରହା ଭୟରେ ଚିନ୍ତିତ ଚାଷୀ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଜଙ୍ଗଲପାଡୁ, ଉତ୍ତରସେଲୀ, ବଡନୀଳାପୁର, ଗୁରାଣ୍ଡି, ଇଂଲିଶପେଣ୍ଠ, ଗୁରାଣ୍ଡି, ମହାଦେଇପୁର, ଗୋଲା ଗ୍ରାମ ଆଦି ଅଞ୍ଚଳରେ ଦିନକୁ ଦିନ ବାରହା ଉପଦ୍ରବ ବଢିବାରେ ଲାଗିଛି । ବିଗତ ପ୍ରାୟ ୬ ବର୍ଷ ଧରି ଏପରି ବାରହା ଉପଦ୍ରବ ଚାଲିଥିବାର ଅଞ୍ଚଳବାସୀ କହିଛନ୍ତି । ୨୦୧୮ ତିତିଲି ମହାବାତ୍ୟା ପରେ ପରେ ଏହି ବାରହା ପଲ କେଉଁ ଆଡରୁ ଆସି ଉକ୍ତ ଅଞ୍ଚଳରେ ଆଶ୍ର ନେଇଥିଲେ । ଏହାପରେ ବାରହା ଦଳ ଏହି ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ କାୟା ବିସ୍ତାର କରି ଚାଲିଛନ୍ତି । ବାରହା ପଲ ଶତାଧିକ ସଂଖ୍ୟାରେ ରହିଥିବା ବେଳେ ଏମାନଙ୍କ ଉତ୍ପାତ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଅଛି । ବିଶେଷ କରି ଚାଷୀ ତଥା ପରିବା ଉତ୍ପାଦନକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଜଣାପଡିଛି । ସନ୍ଧ୍ୟା ସମୟରେ ଏହି ବାରହା ଦଳ ଗୋଷାଣି ବ୍ଲକର ପାଖାପାଖି ୧୦ଖଣ୍ଡ ଗ୍ରାମର ଶହ ଶହ ହେକ୍ଟର ଚାଷ ଜମି ରହିଥିବା ବେଳେ ବିଭିନ୍ନ ସମୟରେ ଚାଷ ଜମିରେ ଏମାନେ ଉତ୍ପାତ କରୁଛନ୍ତି । ଏଥି ଯୋଗୁଁ ବ୍ୟାପକ ଫସଲହାନୀ ହେଉଥିବାର ଅଭିଯୋଗ ହୋଇଛି ।
ଗ୍ରାମାଞ୍ଚଳବାସୀ ତଥା ଚାଷୀମାନେ କହିବା ପ୍ରକାରେ ଏହି ବାରହା ଦଳ ସଞ୍ଜ ହେଲେ ପଲପଲ ହୋଇ ଜମିରେ ପଶି ଧାନ ଫସଲ ଗୁଡିକୁ ଉପାଡି ଦେଉଛନ୍ତି । ବର୍ତ୍ତମାନ ଧାନରେ କ୍ଷୀର ଧରିବା ସମୟ ହୋଇଥିବାରୁ ଧାନ ଗଛ ଗୁଡିକ ନଷ୍ଟ ହେବାରେ ଲାଗିଛି । ଗୋଟିଏ ପଟେ ବର୍ଷା ଅଭାବରୁ ଜମିକୁ ଜଳସେଚନ ପାଇଁ ଚାଷୀଙ୍କୁ ଚିନ୍ତା ଘାରିଥିବା ବେଳେ ଅନ୍ୟପଟେ ଏପରି ବାରହା ଉପଦ୍ରବ ଚାଷୀଙ୍କ ନିଦ ହଜାଇଦେଇଛି । ରାତ୍ର ସମୟରେ ଚାଷୀମାନେ ବାରହା ଘୋଡାଇବା ପାଇଁ ଜାଗର ରହୁଛନ୍ତି । ବର୍ତ୍ତମାନ ସମୟରେ ବାରହାଙ୍କ ଏପରି ଉପଦ୍ରବ ବଢିବାରେ ଲାଗିଛି ଯେ ଦିବା ଲୋକରେ ମଧ୍ୟ ଜମିରେ ପଶି ଉତ୍ପାତ କରୁଥିବାର କହିଛନ୍ତି । ଚାଷୀମାନଙ୍କ ଅଭିଯୋଗ ପାଇ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ୍ ଙ୍କ ସମେତ ଏମ୍.କାମେଶ୍ୱର ରାଓ ପ୍ରମୁଖ ଅଧିକାରୀ ଓ କର୍ମଚାରୀ ମାନେ ଗୁରାଣ୍ଡି, ମହାଦେଇପୁର ଗୋଲାଗାଁ ଗ୍ରାମାଞ୍ଚଳ ପରିଦର୍ଶନ କରି ବାରହା କ୍ଷତି କରିଥିବା ଚାଷ ଜମି ଗୁଡିକର ନିରୀକ୍ଷଣ କରିଥିଲେ । ଏନେଇ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଅନୁକମ୍ପା ଆପ୍ଲିକେଶନ ମାଧ୍ୟମରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଉଛି । ଯାହାକୁ ନେଇ ପୂର୍ବରୁ ଚାଷୀ ତଥା ଅଞ୍ଚଳବାସୀଙ୍କୁ ସଚେତନତା କରାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ ଏପରି ସଚେତନତା କରାଯିବ । ଊଭୟ ବାରହା ଓ ଚାଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।