ରାସ୍ତା ପାଇଁ ଅହୋରାତ୍ର ଆନ୍ଦୋଳନ…

ନୀଳଗିରି, (ଏଫ୍ଟୁଏସ୍/ ସଚିଦାନନ୍ଦ ପାତ୍ର) : ବାଲେଶ୍ୱର ଜିଲା ନୀଳଗିରି ବଉଳଗଡ଼ିଆ ରାସ୍ତା ନିର୍ମାଣ ଓ ଇକୋ ଯୋନ୍ ଉଚ୍ଛେଦ ଦାବି ନେଇ ମିଳିତ କୃଷକ ସଭା ଆନୁକୁଲ୍ୟରେ ବାଉଁଶବଣିଆ ଛକଠାରେ ରାସ୍ତାରୋକ କରାଯାଇଛି । ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ରାସ୍ତାରୋକକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ଅକ୍ଷୟ କୁମାର ଆଚାର୍ଯ୍ୟ, ସରପଞ୍ଚ ନିରଞ୍ଜନ ବାରିକ, ବିଜୟ କୁମାର ସ । ଏହି ସମୟରେ ଆନ୍ଦୋଳନକାରୀଙ୍କ ସହ ବନବିଭାଗ ଏସିଏଫ୍, ରେଞ୍ଜର, ଫରେଷ୍ଟର, ପୋଲିସ ପ୍ରଶାସନ ପ୍ରମୁଖ ଆଲୋଚନା କରିଛନ୍ତି । ଅପରପକ୍ଷେ ଆନ୍ଦୋଳନସ୍ଥଳକୁ ଅନ୍ୟ ପ୍ରଶାସନିକ ଅଧିକାରୀଗଣ ନ ଆସିବାକୁ ନେଇ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ପାଳନ କରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ବକ୍ତବ୍ୟ ରଖିଛନ୍ତି ।

ଏହି ରାସ୍ତା ନିର୍ମାଣ ପାଇଁ ଆସିଥିବା ଠିକାଦାର ଅଧାପନ୍ତରିଆ ଭାବେ କାମ କରି ପଳାଇଯାଇଥିବାବେଳେ ଦୈନିକ ଉକ୍ତ ରାସ୍ତାରେ ବହୁ ଦୁର୍ଘଟଣା ଘଟି ପ୍ରାଣହାନୀ ହେଉଥିବାର ନଜିର ରହିଛି । ଏପରିକି ୧୦୮ ଆମ୍ବୁଲାନ୍ସରେ ଗର୍ଭବତୀ ମହିଳା ଡାକ୍ତରଖାନା ପହଁଞ୍ଚିବା ପୂର୍ବରୁ ପ୍ରସବ ହେବା ଅବା ଗର୍ଭପାତ ହେବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ । ତେଣୁ ପ୍ରଶାସନ ଏ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ଉକ୍ତ ରାସ୍ତା ପ୍ରତି ଶୁଭ ଦୃଷ୍ଟି ଦେଲେ ଲୋକଙ୍କ ସମସ୍ୟା ଦୂର ହେବ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି ।