ବିଜ୍ଞାନ ଶିକ୍ଷୟତ୍ରୀରୁ ପ୍ରଶାସନିକ ଅଧିକାରୀ ହେଲେ ଶ୍ୱେତାସ୍ନିଗ୍ଧା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଶିକ୍ଷୟତ୍ରୀରୁ ଓଏସ୍ ଅଫିସର । ଚଳିତ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨ ରେ ୨୭୨ ରାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି ଶ୍ୱେତାସ୍ନିଗ୍ଧା ସାହୁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଆସୁଥିଲେ ଶ୍ୱେତାସ୍ନିଗ୍ଧା । ବିନା କୌଣସି କୋଚିଂରେ ସେ ଏହି ସଫଳତା ପାଇଛନ୍ତି । ‘ସେଲ୍ଫ ଷ୍ଟଡି, ବେଷ୍ଟ ପଲିସି’ ନୀତିକୁ ଆପଣାଇ ସେ ଏହି ସଫଳତା ହାସଲ କରିଛନ୍ତି । ଯଦି ଜଣେ ଚାହିଁବ, ତେବେ ବିନା କୌଣସି ବାଧାରେ ସଫଳତା ପାଇପାରିବ ବୋଲି କହିଛନ୍ତି ଶ୍ୱେତା । କାରଣ ସେ ନିଜେ ଏହି ସଫଳତାକୁ ତୃତୀୟଥରରେ ହାସଲ କରିଛନ୍ତି । ଧର୍ଯ୍ୟ ଏବଂ କଠିନ ପରିଶ୍ରମ ସଫଳତାର ମାପକାଠି । ଚାକିରୀ ଜୀବନ ଏବଂ ଅଧ୍ୟବସାୟ ଜୀବନକୁ ସମାନ୍ତରଳ ଭାବେ ଅତି ସଫଳତାର ସହ ପ୍ରତିପାଦନ କରିବାର ପ୍ରେରଣା ସେ ନିଜ ବାପା-ମାଙ୍କ ଠାରୁ ପାଇଥିବା କହିଛନ୍ତି ।
ପିଲାବେଳୁ ଶ୍ୱେତା ଜଣେ ମେଧାବୀ ଛାତ୍ରୀ ଭାବେ ପରିଚୟ ହାସଲ କରିଥିଲେ । ପୁରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୌଭାଗ୍ୟ କୁମାର ସାହୁ ଏବଂ ରଶ୍ମିତା ସାହୁଙ୍କ ସୁପୁତ୍ରୀ ହେଉଛନ୍ତି ଶ୍ୱେତାସ୍ନିଗ୍ଧା ସାହୁ । ସେ ତାଙ୍କର ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ପୁରୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରୁ ସମାପ୍ତ କରିଥିଲେ । ପରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପରୀକ୍ଷାରେ ସଫଳତା ହାସଲ କରିଥିଲେ । ଏବଂ ପରେ ବିଜ୍ଞା ଶିକ୍ଷୟତ୍ରୀ ଭାବେ ନିଜର ଦାୟିତ୍ୱ ସମ୍ପନ୍ନ କରୁଥିଲେ । ଶ୍ୱେତାସ୍ନିଗ୍ଧାଙ୍କ ସଫଳତା ପରେ ତାଙ୍କ ନିକଟକୁ ବହୁ ପ୍ରଶଂସାର ସୁଅ ଛୁଟିଛି ।