ଶିକ୍ଷକଙ୍କୁ ଗୁରୁଜୀ ଗୌରବ ସମ୍ମାନରେ ସମ୍ମାନୀତ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଗୁରୁଙ୍କୁ ଇଶ୍ୱରଙ୍କ ସହ ତୁଳନା କରାଯାଏ । ଗୋଟିଏ ସୁସ୍ଥ ସମାଜ ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହିନ୍ଦୋଳ ବ୍ଲକ୍ ଠୋକର ଗ୍ରାମ ପଂଚାୟତ ଅନ୍ତର୍ଗତ ଦୁଳଭପୂର୍ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଜକିଶୋର ଦେହୁରିଙ୍କୁ ଗୁରୁଜୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଓକେସିଏଲ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର, ଖଜୁରିଆକଟା ଦ୍ୱାରା ଏକ ଆୟୋଜିତ ସମାରୋହ ଅବସରରେ ଶ୍ରୀ ଦେହୁରିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମାରୋହରେ ବିଆରସିସି ହିନ୍ଦୋଳ ସଞ୍ଜୟ ନାୟକ କହିଥିଲେ, ନିଜର ସମୟାନୁବର୍ତ୍ତିତା, ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେବାରେ ଦୀର୍ଘଦିନ ବ୍ରତୀ ରହିବାରେ ଶ୍ରୀ ଦେହୁରି ଅନ୍ୟାନ୍ୟ । ସିଆରସିସି ନରୋତ୍ତମ ନାୟକ ସମସ୍ତ ଛାତ୍ରଛାତ୍ରୀଙ୍କୁ ତାଙ୍କ ପ୍ରଧାନ ଶିକ୍ଷକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି କହିଥିଲେ । ଏହି ସମାରୋହରେ ଠୋକର ପଂଚାୟତ ସରପଞ୍ଚ ପ୍ରତିନିଧି ବିଶେଶ୍ୱର ମାଝୀ, ଅବସରପ୍ରାପ୍ତ ଶିକ୍ଷକ ଅଖିଳ ମାଝୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଏହି ସମାରୋହରେ ଉତ୍ସାହର ସହିତ ଯୋଗଦେଇ ଶ୍ରୀ ଦେହୁରୀଙ୍କୁ ଭୂରିଭୂରି ପ୍ରଶଂସା କରିଥିଲେ । ଓକେସିଏଲ କମ୍ପୁଟର ଶିକ୍ଷା କେନ୍ଦ୍ର ଶାଖା ପରିଚାଳକ ପ୍ରଶାନ୍ତ କୁମାର ଜେନାମଣି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥଲେ ।