ମାହାଙ୍ଗାରେ ବିଜେପିର ସଦସ୍ୟତା ସଂଗ୍ରହ ସମାବେଶରେ ସାରଦାଙ୍କ ଅନୁଗତ…

ଦଳର ମୁଖ୍ୟ ସ୍ରୋତକୁ ଫେରିବେ କି ସାରଦା ?
ମାହାଙ୍ଗା, (ଏଫ୍ଟୁଏସ୍/ ଅଭୟ ଜେନା) : ମାହାଙ୍ଗାରେ କିଏ ହେବେ ବିଜେପିର ମଙ୍ଗୁଆଳ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ବିଧାୟକ ସାରଦା ପ୍ରଧାନଙ୍କ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଗତ ସାଧାରଣ ନିର୍ବାଚନରେ ବିଜେପି ନେତା ସାରଦା ପ୍ରଧାନଙ୍କୁ ଦଳ ଟିକେଟ ନଦେବାରୁ ସେ ସ୍ୱାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ । ଦଳରୁ ନିଲମ୍ବିତ ହେବା ସତ୍ୱେ ସାରଦା ନିର୍ବାଚନ ଜିତିବା, ତାଙ୍କ ଲୋକପ୍ରିୟତାର ବଡ଼ ନିଦର୍ଶନ ବୋଲି ଚର୍ଚ୍ଚା ହୁଏ । ଭାଜପା ଟିକେଟରେ ମାହାଙ୍ଗାରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିବା ସୁମନ୍ତ ଘଡେଇ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ବିଫଳ ହେବାରୁ, ଦଳର ଶୀର୍ଷ ନେତାଙ୍କ ନିର୍ଦ୍ଦେଶରେ ମାହାଙ୍ଗାରେ ସାରଦା ଗୋଷ୍ଠୀର ଦଳୀୟ ପତାକାରେ ସଦସ୍ୟତା ସଂଗ୍ରହ ସମାବେଶକୁ ନେଇ ସରଗରମ ହୋଇଛି ମାହାଙ୍ଗା ରାଜନୀତି ।
ବିଜେପି ସାଂସଦ, ବିଧାୟକ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସାରଦା ଅନୁଗତଙ୍କ କୁଆଁପାଳଠାରେ ଆୟୋଜିତ ବିରାଟ ସମାବେଶ ସୁମନ୍ତଙ୍କ ଶିବିରରେ ନୈରାଶ ଖେଳାଇ ଦେଇଛି । ମଞ୍ଚରେ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ନ ଥିଲେ ହେଁ, ଗେରୁଆମୟ ହୋଇଥିଲା ସଭାସ୍ଥଳୀ । ଆମେ ଭାଜପାର ଲଢୁଆ କାର୍ଯ୍ୟକର୍ତ୍ତା, ସଂଗଠକ ଏବଂ ସୈନିକ ଭାବେ ଦଳକୁ ଆହୁରି ମଜଭୂତ କରିବୁ ବୋଲି ଶହଶହ କର୍ମୀ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ୬୪ ପଞ୍ଚାୟତରୁ ୩୦୯ ବୁଥର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ସମାବେଶରେ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ, ବିଧାୟକ ପ୍ରକାଶ ସେଠୀ, ବିଜେପି ସଦସ୍ୟତା ଅଭିଯାନ ମୁଖ୍ୟ ସୁଦୀପ୍ତ ରାୟ, ଅଭୟ ବାରିକ, ବୁଲୁ ଚକ୍ରବର୍ତ୍ତୀ, ଯାଜ୍ଞସେନୀ ଜେନା, କନକଲତା ବେହେରା, ଜିତେନ୍ଦ୍ର ଶତପଥୀ, ମନୋରଞ୍ଜନ ନାୟକ, ଦେବେନ୍ଦ୍ର ସାହୁ, ଭକ୍ତ ଚରଣ ସ୍ୱାଇଁ, ନିର୍ମଳ ରାଉତ ପ୍ରମୁଖ ବହୁ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ସାରଦାଙ୍କ ହାତକୁ ଭାଜପା ନେତୃତ୍ୱ ଖୁବଶୀଘ୍ର ଯାଉଥିବା ଆୟୋଜିତ ସମାବେଶରୁ ବାରିହୋଇ ପଡୁଥିଲା । ବେଶ କିଛିଦିନ ହେବ ସାରଦା-ସୁମନ୍ତ କଳି ବିରୋଧୀଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଉଥିବା ବେଳେ କିଏ ଧରିବ ମାହାଙ୍ଗା ବିଜେପିର ମଙ୍ଗ, ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।
ତେବେ ସାରଦାଙ୍କ ସମର୍ଥକମାନେ ବିଜେପିର ରାଜ୍ୟ ଓ ଜିଲ୍ଲା ନେତୃମଣ୍ଡଳୀଙ୍କ ସହିତ ସଦସ୍ୟତା ସଂଗ୍ରହ ଅଭିଯାନ ମଞ୍ଚରେ ଏକତ୍ରିତ ହେବା ପରେ ଦଳରେ ସୁମନ୍ତ ଘଡେଇ କୋଣଠେସା ହେବା ଚର୍ଚ୍ଚା ହେଉଛି । ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାରେ ସୁମନ୍ତ ବିଫଳ ହୋଇଥିବା ଉପଲବ୍ଧି କରି କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶରେ ସାରଦାଙ୍କୁ ଓ ତାଙ୍କ ଅନୁଗତମାନଙ୍କୁ ଦଳର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଶୀର୍ଷ ନେତୃତ୍ୱ ଚାହୁଁଥିବା କୁହାଯାଉଛି ।