୨୦ହଜାର ଟଙ୍କାରେ ନାତିକୁ ବିକ୍ରି ଅଭିଯୋଗ…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : କୋଡିଏ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି ହୋଇଥିବା ଅଭିଯୋଗ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ଶିଶୁ ପୁତ୍ରର ଜେଜେ ରାହସ ବିହାରୀ ସାମଲ । ତଥ୍ୟରୁ ପ୍ରକାଶ ଯେ, କଟକ ଜିଲ୍ଲା ସାଲେପୁର ଥାନା କାନପୁର ଗ୍ରାମର ରାହସ ବିହାରୀ ସାମଲଙ୍କ ପୁଅ ତପନ ସାମଲ (୨୭) ଗତ ୬ ବର୍ଷ ହେବ ନିଶ୍ଚିନ୍ତକୋଇଲି ଥାନା ବଡ଼କ୍ଷୀର ଗ୍ରାମର କାଁହୁ ଚରଣ ସାମଲଙ୍କ ଝିଅ ରୁବିନାଙ୍କ ସହିତ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ ରହିଥିବା ବେଳେ, ଛଅ ମାସ ହେବ ବୋହୂ ନିଜ ଝିଅକୁ ଛାଡି ପୁଅକୁ ଧରି ଅନ୍ୟତ୍ର ଚାଲିଯାଇଥିଲେ । ନାତିକୁ ଦେଖିବା ପାଇଁ ବିକଳ ହୋଇ ଜେଜେ ରାହସ ନିଜ ବୋହୂଙ୍କ ଘରେ ପହଁଚିଲା ବେଳକୁ ନାତିକୁ ପାଇନଥିଲେ । ସନେ୍ଦହ ହେବାରୁ ଏ ନେଇ ସେ ଖାନଭିନ୍ ଆରମ୍ଭ କରିଥିଲେ । ପରେ ବିଶେଷ ସୂତ୍ରରୁ ଖବର ପାଇ ରାହସ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ବେଲରପା ଗାଁର ଅନନ୍ତ ସାମଲଙ୍କ ଘରକୁ ଯାଇଥିଲେ । ସେଠାରେ ନାତିକୁ ଦେଖି ଭାବବିହ୍ୱଳ ହେବା ସହ ନାତିକୁ ଫେରାଇ ଦେବା ପାଇଁ ନିବେଦନ କରିଥିଲେ । ଅପରପକ୍ଷେ ସମ୍ପୃକ୍ତ ପରିବାର ଲୋକେ କୋଡିଏ ହଜାର ଟଙ୍କା ଫେରାଇ ଦେଲେ, ଆମେ ତମ ନାତିକୁ ଫେରାଇ ଦେବୁ ବୋଲି କହିଥିଲେ । ଶେଷରେ ନିରୁପାୟ ହୋଇ ରାହସ ସାଲେପୁର ଥାନାରେ ନାତିକୁ ଫେରାଇ ଆଣିବାକୁ ନିବେଦନ କରିବା ସହ ବୋହୂଙ୍କ ବାପା ଏବଂ ଭାଇ ମିଳିତ ଭାବେ ନାତିକୁ ବିକ୍ରି କରିଥିବା ନେଅ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।