ହରଙ୍କ ନେତୃତ୍ୱରେ ପୁଣି ଏକାଠି ହେଲା ବିଜେଡି…

ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରସ୍ତୁତି ବୈଠକ
ଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ପୁଣି ଥରେ ସଂଗଠିତ ହେବ ବିଜୁ ଜନତା ଦଳ । ପଦଯାତ୍ରା ଓ ସଦସ୍ୟତା ଅଭିଯାନ ଜୋରଦାର କରାଯିବ । ଲୋକଙ୍କ ପାଖରେ ପହଞ୍ଚିବେ ନେତା । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ହରପ୍ରସାଦ ସାହୁଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ଏନ୍ଏସିଠାରେ ବିଜୁ ଜନତା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବରୁ ମନାନ୍ତର ଓ ମତାନ୍ତରକୁ ଭୁଲି କବିସୂର୍ଯ୍ୟନଗର ଏନ୍ଏସିର ସମସ୍ତ ବରିଷ୍ଠ ନେତା ଏକତ୍ରିତ ହୋଇ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିଷ୍ପତି ନେଇଛନ୍ତି ।
ବୈଠକରେ ବିଜୁ ଜନତା ଦଳର ଆସିକା ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁ, ବରିଷ୍ଠ ନେତା ହରପ୍ରସାଦ ସାହୁ, ମନୋରଞ୍ଜନ ମହାପାତ୍ର, କବିସୂର୍ଯ୍ୟନଗର ଏନ୍ଏସି ଉପାଧ୍ୟକ୍ଷ ବିକ୍ରାନ୍ତ ସାହୁ, ବିଜୟ କଅଁର, ବିଜୟ ପ୍ରଧାନ, ବିଷ୍ଣୁ ସାମଲ, ଭିକାରୀ ସ୍ୱାଇଁ, ହୀନ ଖୁଣ୍ଟିଆ, ଇନ୍ଦ୍ର ଜେନା, ବଖାରୀ ମହମ୍ମଦ, ମନୁ ପରିଡାଙ୍କ ସମେତ ସମସ୍ତ କାଉନସିଲରମାନେ ଉପସ୍ଥିତ ଥିଲେ । ନିକଟରେ ଅନୁଷ୍ଠିତ ହେବାକୁ ଥିବା ପଦଯାତ୍ରା ଓ ସଦସ୍ୟ ସଂଗ୍ରହ ସଂପର୍କରେ ଆଲୋଚନା ହୋଇଥିଲା । ବିଜୁ ଜନତା ଦଳର ପରାଜୟ ପରେ କବିସୂର୍ଯ୍ୟନଗରରେ ଅନୁଷ୍ଠିତ ପ୍ରଥମ ବୈଠକରେ ସମସ୍ତ ନେତା ଓ କର୍ମୀ ଏକମନ ହୋଇ କିପରି ବିଜୁ ଜନତା ଦଳକୁ ପୁନଃ ସଂଗଠିତ କରିବେ ସେ ନେଇ ଆହ୍ୱାନ ଦେଇଥିଲେ ବରିଷ୍ଠ ନେତା ହରପ୍ରସାଦ ସାହୁ । ବିଜେଡି ପରାଜିତ ହୋଇଛି ସତ କିନ୍ତୁ ଭୋଟ ପ୍ରତିଶତ ଅଧିକ ରହିଛି । ଏବେ ବି ନବୀନ ପଟ୍ଟନାୟକଙ୍କୁ ଲୋକେ ଝୁରୁଛନ୍ତି । ମିଥ୍ୟା ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିବା ବିଜେପିକୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକେ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ଡଃ ରଞ୍ଜିତା ସାହୁ ।