ବିଜେଡିରେ ବଡ ଧରଣର ତୁ ତୁ ମେଁ ମେଁ…

ବିଜେଡିରେ ବଡ ଧରଣର ତୁ ତୁ ମେଁ ମେଁ । ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବା ବେଳେ ବରିଷ୍ଠ ନେତା ଅମର ଶତପଥୀ ବିସ୍ଫୋରକ ବୟାନ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ସେ କହିଛନ୍ତି ଯେ, “ମୁଁ ବିଜେଡିରେ ନାହିଁ କି ସଦ୍ୟସତା ନବୀକରଣ କରିବାର ସ୍ପଷ୍ଟ ଉଠୁନି । ବିଜେଡିରେ ମୋ ଅବଦାନ ଓଡ଼ିଶାବାସୀ କହିବେ ।” ସେପଟେ ଅମରଙ୍କୁ କଟାକ୍ଷ କରି ବିଜେଡି ମୁଖ୍ୟପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, “ଦଳରେ ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ସେ ଦଳ ଛାଡି ଚାଲିଯାଆନ୍ତୁ । ସେ ନିଜ ପୁତୁରାଙ୍କୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି ଏବେ ନିଜେ ଲାଇନରେ ଅଛନ୍ତି । ଅମର ଦଳ ଛାଡିଲେ ବିଜେଡିରେ କିଛି ପ୍ରଭାବ ପଡିବନି । ବିଜେଡି ତାଙ୍କୁ ପରିଚୟ ଦେଇଛି, ସ୍ଥିତି ଦେଇଛି । କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି । ଯାହା କେବେ ବି ଗ୍ରହଣଯୋଗ୍ୟ ନୁହେଁ ।”
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ଅମର ଶତପଥୀ କିଛି ଅକୁହା କଥା କହିଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଛି । ଏବଂ ଗତ ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ନମିଳିବାରୁ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାସହ ସେ କହିଥିଲେ ଯେ, ଯେତେବେଳେ ନବୀନ ପଟ୍ଟନାୟକ ବିଜୟର ଶ୍ରେୟ ନେଉଥିଲେ। ଏବେ ପରାଜୟର ବି ଦାୟିତ୍ବ ନିଅନ୍ତୁ । ସେ ଆହୁରି କହିଛନ୍ତି, ଆମେ ନବୀନଙ୍କୁ ନେତା ବାଛିଥିଲୁ, ପାଣ୍ଡିଆନଙ୍କୁ ନୁହେଁ । ନବୀନ ଜବାବ ଦେବା ଦରକାର, ଆଜିର ଏଭଳି ସ୍ଥିତି କାହିଁକି ?