ବିଦାୟ ନେଉଛନ୍ତି ଜଗତଜନନୀ । ଭସାଣୀ ପାଇଁ ଟ୍ରାଫିକ କଟକଣା…

ଆଜି ଭକ୍ତଙ୍କ ଗହଣରୁ ମେଲାଣି ନେବେ ଜଗତ ଜନନୀ ମା’ ଦୁର୍ଗା । ମା’ଙ୍କ ଭସାଣୀ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ । ଚଳିତବର୍ଷ ଭୁବନେଶ୍ୱର ଓ କଟକରେ ଭସାଣୀ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି । ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ୍ ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍ ପୁଲିସ୍ ।
ଭସାଣୀ ଶେଷ ଯାଏଁ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ସେହି ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ । ଜନପଥ ରାସ୍ତାରେ ଯାନବାହନ ମନା ରହିଛି । ନୟାପଲ୍ଲୀ ଭସାଣୀ ବେଳେ ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ । ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର ଦେଇ ଯାଇପାରିବେ ଯାତ୍ରୀ । ଚନ୍ଦ୍ରଶେଖରପୁରରେ ଭସାଣୀ ବେଳେ କିଟ୍ ଛକ ପଟୁ ନାଲକୋ ଛକ ଆଡ଼କୁ କୌଣସି ଯାନବାହାନକୁ ଅନୁମତି ନାହିଁ ।
ସେହିଭଳି କଟକରେ କଲେଜ ଛକଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ କୌଣସି ଯାନବାହନ ଯାତାୟତ କରିବ ନାହିଁ । ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ ।