ଜମ୍ମୁ-କଶ୍ମୀରର ପରବର୍ତ୍ତୀ ସିଏମ୍ ହେବେ ଓମାର ଅବଦୁଲ୍ଲା !

ଭୁବନେଶ୍ବର : ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏନସି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି । ଉଭୟ ଦଳ ମିଳିତ ଭାବେ ୯୦ ବିଧାନସଭା ଆସନରୁ ପ୍ରାୟ ୪୯ ସିଟିରେ ଆଗୁଆ ରହିଛି । ଏଭଳି ସ୍ଥଳେ ଏନସି ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏକ ବଡ଼ ମନ୍ତବ୍ୟ ଦେବା ସହିତ ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ଘୋଷଣା କରିଛନ୍ତି । ଜମ୍ମୁ-କଶ୍ମୀରର ପରବର୍ତ୍ତୀ ସିଏମ୍ ତାଙ୍କ ପୁଅ ଓମାର ଅବଦୁଲ୍ଲା ହେବେ ବୋଲି ସେ ସୂଚନା ଦେଇଛନ୍ତି ।
ଏହାସହ ସେ କହିଛନ୍ତି, “ଲୋକମାନେ ଜନାଦେଶ ଦେଇଛନ୍ତି । ୨୦୧୯ ଅଗଷ୍ଟ ୫ରେ ନିଆଯାଇଥିବା ନିଷ୍ପତ୍ତି (ଧାରା ୩୭୦ ଉଚ୍ଛେଦ)କୁ ଜନସାଧାରଣ ଗ୍ରହଣ କରୁ ନଥିବା ପ୍ରମାଣ କରି ଦେଖାଇଛନ୍ତି । ଏହା ସହ ବେକାରୀ ସମସ୍ୟା ଏବଂ ଦରଦାମ ବୃଦ୍ଧି ତଥା ଡ୍ରଗ୍ ସମସ୍ୟା ଭଳି ସମସ୍ୟାର ସମାଧାନ କରିବାକୁ ପଡିବ ବୋଲି କହିଛନ୍ତି ଫାରୁକ୍ ।”
ଚଳିତ ନିର୍ବାଚନରେ ଓମାର ଅବଦୁଲ୍ଲା ଗନ୍ଦରୱାଲ ଏବଂ ବଡଗାମ୍ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଉଭୟ ଆସନରୁ ଜିତିଛନ୍ତି । ଓମାର ଅବଦୁଲ୍ଲା ଗନ୍ଦରୱାଲ ଆସନରୁ ୧୮,୧୯୩ ଖଣ୍ଡ ଭୋଟ ପାଇଛନ୍ତି । ସେ ପିଡିପିର ବଶିର ଅହମ୍ମଦଙ୍କୁ ପରାସ୍ତ କରିଛନ୍ତି । ବଶିର ୧୨,୭୪୫ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେପଟେ ବଡଗାମ୍ ଆସନରୁ ଓମାର ଅବଦୁଲ୍ଲା ୩୬,୦୧୦ ଖଣ୍ଡ ଭୋଟ୍ ପାଇଛନ୍ତି । ସେଠାରେ ମଧ୍ୟ ଓମାର ପିଡିପି ପ୍ରାର୍ଥୀ ଆଗା ସୟଦ ମୁନ୍ତାଜିରଙ୍କୁ ପରାସ୍ତ କରିଛନ୍ତି । ଗଣତି ଏବେବି ଜାରି ରହିଥିବାବେଳେ ବିଜେପି କେବଳ ୨୯ଟି ଆସନରେ ଆଗୁଆ ରହିଛି ।