ହିନ୍ଦୋଳ ଏନଏସି ଦୁର୍ନୀତିର ଗନ୍ତାଘର, ମାଟିମୋରାମ ଏବଂ ବୁଶକଟିଙ୍ଗ ନାମରେ ୫୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରିଲୁଟ୍…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସିରେ ଚାଲିଛି ମହାଦୁର୍ନୀତି । ଦେଢ଼ବର୍ଷରେ ଚଳୁ କରିଦେଇଛନ୍ତି କୋଟିକୋଟି ଟଙ୍କା । ଖବରରୁ ପ୍ରକାଶ ୨୦୨୩ ନିର୍ବାଚନ ପରେ ତୃତୀୟ ପରିଷଦ ଗଠନ ହୋଇଥିଲେ ମଧ୍ୟ ପୂର୍ବ ନିର୍ବାହୀ ଅଧିକାରୀ ଓ ନିର୍ଦ୍ଧିଷ୍ଟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରରୋଚନାରେ ନିୟମିତ ବୈଠକ ବସୁନଥିଲା । ରିଜୋଲେସନ କପି କିମ୍ବା ଆୟବ୍ୟୟ ହିସାବ କାଉନସିଲରମାନଙ୍କୁ ଦିଆଯାଉନଥିଲା । କାଉନସିଲରମାନଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରାନଯାଇ ନିଜକୁ ସୁହାଇଲା ଭଳି ଠିକାଦାର ନିଯୁକ୍ତି କରି କୋଟି କୋଟି ଟଙ୍କାର କାର୍ଯ୍ୟ କରାଯାଇଥିବା ଦର୍ଶାଇ ପ୍ରାୟ ୪ କୋଟି ଟଙ୍କାର ପାଣ୍ଠି ଶେଷ କରିଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଫଳରେ କୌଣସି ୱାର୍ଡରେ ଟେଣ୍ଡର କାମ ନହେବାରୁ ଏବଂ ପରିଷଦରେ ପାଣ୍ଠି ନଥିବା ନେଇ ଉତ୍ତର ମିଳିବାରୁ କାଉନସିଲରମାନେ ସନ୍ଦେହ କରି ଆୟବ୍ୟୟର ହିସାବ ମାଗିବା ସହ ଜିଲ୍ଲାପାଳ ଓ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଫଳରେ ଗତ ୪/୧୦/୨୪ରେ ୮ମ ବୈଠକରେ ଆୟବ୍ୟୟ ହିସାବ ଦିଆଯାଇଛି । ସେଥିରୁ ଜଣାପଡିଛି ଯେ, ଦୁଇଟି ମାଟି ଫିଲିଂ କାର୍ଯ୍ୟ ଗୋଟିକ ୧,୯୭,୦୦୦ ଲେଖାଏଁ ବିଲ୍ ସମୁଦାୟ ୩,୯୪,୦୦୦ ଟଙ୍କା ବିଲ୍ ହୋଇଛି । ୱାର୍ଡନଂ-୧୫ ଓ ୧୬ରେ ମାଟି ମୋରମ ନାମରେ ୫ଟି କାମ କରାଯାଇ ୩,୧୮,୦୦୦ ରୁ ଉର୍ଦ୍ଧ୍ବ ଟଙ୍କା ବିଲ୍, ୱାର୍ଡ ନଂ-୧୨ ସ୍ମାର୍ଟପାର୍କ ବୁଶକଟିଙ୍ଗ, ମାଟି ଫିଲିଂ ନାମରେ ୧୨ଟି କାମରେ ୨୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବିଲ୍ କରାଯାଇଛି । ତେବେ ଏହି ସମସ୍ତ ବିଲ୍ କାଉନସିଲରମାନଙ୍କ ଅଗୋଚରରେ ହୋଇଥିବା ଜଣାପଡିଛି ।
ସେହିପରି ନିର୍ବାଚନରେ ବିନା ଅନୁମୋଦନରେ ୧୭ଲକ୍ଷ ପରିଷଦ ପାଣ୍ଠି ଖର୍ଚ୍ଚ ଓ ନିର୍ଦ୍ଧିଷ୍ଟ ଗୋଟିଏ ୱାର୍ଡରେ ୧୮ଲକ୍ଷରୁ ଉର୍ଦ୍ଧ ଖର୍ଚ୍ଚ ଯାହାକି ସନ୍ଦେହଜନକ ବୋଲି ସ୍ଥାନୀୟ କାଉନସିଲରମାନେ ଓ ଜନସାଧାରଣ ଆଲୋଚନା କରୁଛନ୍ତି । ଇଏତ ଗଲା ୨ମାସର ହିସାବ । ତେବେ ବିଗତ ଦେଢ଼ବର୍ଷର ସମୁଦାୟ ଆୟବ୍ୟୟ ହିସାବ ଭିଜିଲାନ୍ସ ତଦନ୍ତ କରାଗଲେ କୋଟିକୋଟି ଟଙ୍କାର କେଳେଙ୍କାରୀ ପଦାକୁ ଆସିବ ବୋଲି ଦାବି ହୋଇଛି । ପୂର୍ବ ନିର୍ବାହୀ ଅଧିକାରୀଙ୍କ ସହ ତଳୁ ଉପର ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଏଥିରେ ସାମିଲ ଥିବାରୁ ହିନ୍ଦୋଳ ଏନ୍ଏସି ଦୁର୍ନୀତିର ଗନ୍ତାଘର ପାଲଟିବା ସହ ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡୁଛି । ତେବେ ନିରୀହ ଜନସାଧାରଣଙ୍କ ପାଇଁ ଆସୁଥିବା କୋଟି କୋଟି ଟଙ୍କା ହଡପ ଓ କେଳେଙ୍କାରୀର ନିରପେକ୍ଷ ଭିଜିଲାନ୍ସ ତଦନ୍ତ ଓ ସ୍ୱତନ୍ତ୍ର ଅଡିଟ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି । ଅପରପକ୍ଷେ ଏଥିରେ ସମ୍ପୃକ୍ତ ଥିବା ମାଷ୍ଟରମାଇଣ୍ଡକୁ ଲୋକଲୋଚନକୁ ଅଣାଯିବ ନା ଏହା ଫାଇଲ ତଳେ ଦବିଯିବ ତାହା ଦେଖିବାକୁ ବାକି ରହିଲା ।