ନିଶ୍ଚିନ୍ତକୋଇଲି ଓ ମାହାଙ୍ଗାରେ ବିପୁଳ ନକଲି ମଦ ଜବତ: ୫ ଗିରଫ

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅଧିନସ୍ଥ ଗୋତରା ପଂଚାୟତ ପ୍ରହରାଜପୁର ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ପ୍ରକାଶ ଯେ କଟକ ଅବକାରୀ ବିଭାଗର ୧୦ ଜଣିଆ ଟିମ୍ ଖବର ପାଇ ନିଶ୍ଚିନ୍ତକୋଇଲି ଏସ.ଆର. ବାର ଓ ରେଷ୍ଟୁରାଣ୍ଟରେ ଚଢାଉ କରିଥିଲେ । ସ୍ୱତନ୍ତ୍ର ଅବକାରୀ ଟିମ୍ ଖବର ପାଇ ଭଦ୍ରେଶ୍ୱର ଥାନା ପ୍ରହରାଜପୁର ଗ୍ରାମରେ ଏକ ଭଡାଘର ଉପରେ ଚଢାଉ କରି ସେଠାରେ ବିଦେଶୀ ନକଲି ମଦ ସହିତ ନକଲି ବିଦେଶୀ ମଦ ତିଆରରେ ବ୍ୟବହୃତ ହେଉଥିବା କେମିକାଲସ୍ ,ଠିପି ,ଖାଲି ବୋତଲ ଓ ନାମାଦାମୀ ବିଦେଶୀ ମଦ କଂପାନୀର ଲେବୁଲ ଆଦି ଜବତ କରିଥିଲେ । ଏହାସହ ଏଥିରେ ସଂପୃକ୍ତ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଟକ ଅବକାରୀ ସୁପରିଟେଣ୍ଡେଣ୍ଟ କେ.ଏସ୍. ତିୱାରୀ ।
ସୂଚନା ଅନୁସାରେ ନିଶ୍ଚିନ୍ତକୋଇଲିଠାରେ ଥିବା ଏସ.ଆର. ବାର ଆଣ୍ଡ ରେଷ୍ଟୁରାଣ୍ଟ ଏବଂ ତାଙ୍କ ପ୍ରହରାଜପୁରସ୍ଥିତ ବାସଗୃହ ଅନତି ଦୂରରେ ଏକ ଅବକାରୀ ବିଭାଗ ୧୦ ଜଣିଆ ଟିମ ଚଢାଉ କରି ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ଜବତ ସାମଗ୍ରୀ ମଧ୍ୟରେ ୧୧ ଶହ ଲିଟର ନକଲି ମଦ, ୮ ହଜାର ଠିପି, ୯୪୦୦ (ଇଏ.ଏଲ.) ଖଣ୍ଡ,୧ ହଜାର ଖାଲି ବୋତଲ ,ମ୍ୟାକଡେଏଲନଂ୧ କଂପାନୀର ୧୧୯୦ ଖଣ୍ଡ ଲେବୁଲ, ୩ଟି ସ୍ଖୁଟି ଓ ୫ଟି ମୋବାଇଲ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ୯ ଲକ୍ଷ ୧୫ ହଜାର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ନିଶ୍ଚିନ୍ତକୋଇଲି ଅବକାରୀ ଥାନା କେଶ୍ ନଂ ୬୪/୨୪-୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ପ୍ରକାଶ କରିଛନ୍ତି । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ସୌମ୍ୟରଂଜନ ପ୍ରଧାନ, ଜଗନ୍ନାଥ ନାୟକ, ପବିତ୍ର ଜେନା, ଶ୍ରୀନିବାସ ପ୍ରଧାନ ଓ ମାହାଙ୍ଗା ଥାନା ଅନ୍ତର୍ଗତ ଖନ୍ଦଳ ଗ୍ରାମର ଶରତଚନ୍ଦ୍ର ବାରିକ ଥିବା ଜଣାପଡିଛି ।
ଏଠାରେ ସୁଚନା ଥାଉ କି ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଠାରେ ନକଲି ମଦ ପ୍ରସ୍ତୁତ କରାଯାଇ ମାହାଙ୍ଗା, ନିଶ୍ଚିନ୍ତକୋଇଲି ଆଦି ବିଭିନ୍ନ ଅଂଚଳକୁ ପଠାଯାଉଥିଲା । ଏଥିରେ ସଂପୃକ୍ତ ଥିବା ଅନ୍ୟବ୍ୟକ୍ତିମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ସୁପରିଟେଣ୍ଡେଣ୍ଟ କେ.ଏସ୍. ତିୱାରୀଙ୍କଠାରୁ ସୂଚନା ମିଳିଛି । କିଭଳି ଭାବରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଅବଗତ ନଥିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଢାଉ ପରେ ଏସ୍.ଆର ବାର ଆଣ୍ଡ ରେଷ୍ଟୁରାଣ୍ଟକୁ ସିଲ୍ କରାଯାଇଛି । ଏହି ନକଲି ମଦ ପ୍ରସ୍ତୁତ କରାଯାଇ କୋଟି କୋଟି ଟଙ୍କା ବାର ମାଲିକ ଆୟ କରୁଥିବା ସାଧାରଣରେ ଆଲୋଚନା ହେଉଛି । ଏହାର ଏକ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବୀ ହୋଇଛି । ଗଞ୍ଜାମ ଚିକିଟି ମଦ ମୃତ୍ୟୁ ଘଟଣା ପରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ କରାଯାଇଥିଲା । ଆଗକୁ ପାର୍ବଣ ଋତୁ ଥିବାବେଳେ ମାହାଙ୍ଗା ଓ ଭଦ୍ରେଶ୍ୱର ଥାନା ଅଂଚଳରେ ବିଭିନ୍ନ ମଦ ଦୋକାନରେ ନକଲି ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି ।