କୋଦଳା ଏନ୍ଏସି ଅଧ୍ୟକ୍ଷ ଓ ସରକାରୀ ଅଧିକାରୀଙ୍କୁ ବଦନାମ କରୁଛନ୍ତି କାଉନସିଲର !

ସାମ୍ବାଦିକ ସମ୍ମିଳନୀ କରି କାଉନସିଲରଙ୍କ ଉପରେ ବର୍ଷିଲେ ଅଧ୍ୟକ୍ଷ
ବେଗୁନିଆପଡା, (ଏଫ୍ଟୁଏସ୍ / ବାପୁନି କୁମାର ମାଲୁ) : ଦୀର୍ଘ ଦିନ ଧରି କୋଦଳା ଏନଏସିର ୧୧ ନମ୍ବର ଓ୍ବାର୍ଡର କାଉନସିଲର ଭଗବାନ ପାଢୀ ଉଦ୍ଦେଶ୍ୟମୂଳକ ଭାବେ ଏନ୍ଏସିର ମହିଳା ଯନ୍ତ୍ରୀ, ସରକାରୀ କର୍ମଚାରୀ ଓ ଅଧ୍ୟକ୍ଷଙ୍କୁ ବଦନାମ କରି ଚାଲିଛନ୍ତି । ଦୁର୍ନୀତି ସଂପର୍କରେ କୌଣସି ତଥ୍ୟ ପ୍ରମାଣ ନଥାଇ ସୋସିଆଲ ମିଡିଆରେ ଅଧ୍ୟକ୍ଷ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ମିଥ୍ୟା ଖବର ପରିବେଷଣ କରୁଛନ୍ତି କାଉନସିଲର । ଏନ୍ଏସି କାର୍ଯ୍ୟାଳୟରେ ପଶି ସରକାରୀ ନଥିପତ୍ରକୁ ଜୋର୍ ଜବରଦସ୍ତ ଦେଖିବା, ବାରଣ କଲେ ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଆଦି କାମରେ ଲିପ୍ତ ରହୁଥିବା ଅଭିଯୋଗ କରିଛନ୍ତି ଅଧ୍ୟକ୍ଷ । ବୁଧବାର ପୂର୍ବାହ୍ନରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କାଉନସିଲରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ଆଗାମୀ ଦିନରେ ଯଦି କାଉନସିଲର ଏଭଳି କାର୍ଯ୍ୟ ଜାରି ରଖନ୍ତି ତେବେ ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ସୂଚନା ଅନୁସାରେ କୋଦଳା ଏନ୍ଏସି ୧୧ ନମ୍ବର ଓ୍ବାର୍ଡର କାଉନସିଲର ଭଗବାନ ପାଢୀ ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଗତ କିଛି ଦିନ ତଳେ ଏନ୍ଏସିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି କିଛି କାଉନସିଲରଙ୍କ ସହ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ପରବର୍ତୀ ସମୟରେ ୧୧ ନମ୍ବର କାଉନସିଲରଙ୍କୁ ଛାଡି ଅନ୍ୟ ସମସ୍ତ କାଉନସିଲର ଧାରଣାରୁ ଓହରି ଯାଇଥିଲେ । ଏନ୍ଏସିରେ ବିଭିନ୍ନ ପ୍ରକାର ଠିକା କାମକୁ ସେ ନିଜେ କରିବେ ବୋଲି କହୁଛନ୍ତି ଏବଂ କାମ ନ ମିଳିଲେ ବିଭିନ୍ନ ଭିତ୍ତିହୀନ ଅଭିଯୋଗ କରୁଥିବା କହିଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ । ସରକାରୀ ଅଧିକାରୀଙ୍କୁ ଧମକ ଚମକ ଦେଇ ଉର୍ନ୍ନତିକରଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସଂପର୍କରେ ଗତକାଲି ନିର୍ବାହୀ ଅଧିକାରୀ କୋଦଳା ଥାନାରେ ଏକ ଅଭିଯୋଗ କରିଥିବା ମଧ୍ୟ ସୂଚନା ମିଳିଛି । କାଉନସିଲରଙ୍କ ଏଭଳି କାର୍ଯ୍ୟକୁ ନେଇ ଅଧ୍ୟକ୍ଷଙ୍କ ସମେତ ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କାଉନସିଲର ରୀତାଞ୍ଜଳୀ ମିଶ୍ର ଓ ବହୁ କାଉନସିଲର ନିନ୍ଦା କରିଛନ୍ତି ।