ଶ୍ରମ ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ AITUC ପକ୍ଷରୁ ବିକ୍ଷୋଭ…

ଜଗତସିଂହପୁର, (ଏଫ୍ଟୁଏସ୍ / ରୀତା ସାହୁ) : ଜଗତସିଂହପୁରଠାରେ ଏଆଇଟିୟୁସି ପକ୍ଷରୁ ଶ୍ରମ ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ AITUC ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡ଼ି, ପାଚିକା ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ଚର୍ଚିକା ବଜାର ନିକଟରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ଥିଲା । ଏଆଇଟିୟୁସି ନେତା ସୋମନାଥ ଗିରିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୪୪ଟି ଶ୍ରମ ଆଇନକୁ ବଡ଼ବଡ଼ ଶିଳ୍ପପତି ଏବଂ ପୁଞ୍ଜିପତି ମାନଙ୍କର ସ୍ୱାର୍ଥରେ ବାତିଲ କରି ୪ଟି ଶ୍ରମ କୋର୍ଡକୁ ଲାଗୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଉକ୍ତ ଆଇନ ଲାଗୁ ହେଲେ ଦେଶର ଶ୍ରମିକ ଓ ଶ୍ରମିକ ସଂଗଠନକୁ ସଙ୍କୁଚିତ କରିବା ସହିତ ନିଜର ହକ ଦାବି ପାଇଁ ଅନ୍ତରାୟ ସୃଷ୍ଟି କରିବ । ତେଣୁ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଟ୍ରେଡ଼ ୟୁନିୟନମାନେ ଦାବି କରିଛନ୍ତି ।