୧୦୦ ଦିନର ରିପୋର୍ଟ କାର୍ଡ ଦେଲେ ଏବଂ ବିଜେଡି ସରକାରକୁ ଦୃଢ ନିନ୍ଦା କଲେ ମୋହନ ସରକାର…

ରାଜ୍ୟରେ ମୋହନ ସରକାରକୁ ପୂରିଛି ୧୦୦ ଦିନ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି । କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ କ୍ୟାବିନେଟ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ, ସାଂସଦ ଓ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ ।
ସରକାରର ଶହେ ଦିନ ଭିତରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଛି । ଏହାସହ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ସହାୟତାର ପ୍ରଥମ କିସ୍ତି ବି ମିଳିଛି । ଏହାରି ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିପାଇଁ କମିଟି ଗଠନ ହୋଇ ଆଇନଗତ ଦିଗକୁ ତର୍ଜମା କରୁଛି । ପୂର୍ବ ସରକାର ଲୋକଙ୍କ ସମସ୍ୟା ଶୁଣୁ ନ ଥିଲେ । ମାତ୍ର ଏବେ ନୂଆ ସରକାର ଭୁବନେଶ୍ବରରେ ଲୋକଙ୍କ ଅଭିଯୋଗ ଶୁଣୁଛି, ସମସ୍ୟା ସମାଧାନ ବି କରୁଛୁ । ଆଗାମୀ ଦିନରେ ସବୁ ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ କରି ଶୁଣାଣି ହେବ ।
ଏସବୁ ଉପଲବଧିକୁ ନେଇ ପ୍ରସ୍ତୁତ ରିପୋର୍ଟ କାର୍ଡକୁ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ମୋହନ ସରକାର । ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ୨୦ରୁ ୨୨ ତାରିଖ ଯାଏଁ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆୟୋଜିତ ବିଜେପି ସରକାରଙ୍କ ୧୦୦ ଦିନର ହିସାବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେଡି ସରକାରଙ୍କୁ ମଧ୍ୟ ଖୋଲା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପୂର୍ବ ସରକାର ଅଭିଯୋଗ ଶୁଣୁ ନ ଥିଲେ, ବରଂ ତାଙ୍କ ଇଚ୍ଛାରେ କାର୍ଯ୍ୟ କରୁଥିଲେ । ପୂର୍ବ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ମଧ୍ୟ ରାଜନୀତି କରୁଥିଲେ । ସରକାର ସବୁବେଳେ ଲୋକଙ୍କ ମତ ଏବଂ ହିତକୁ ନେଇ କାର୍ଯ୍ୟ କରିବା ଜରୁରୀ । ପୂର୍ବ ସରକାର ଦୁର୍ନୀତି ଅଭିଯୋଗରେ କେବଳ କିରାଣିଙ୍କୁ ଧରୁଥିଲେ । କିନ୍ତୁ ଆମେ ସେଭଳି କରୁନାହୁଁ । ଦୁର୍ନୀତିରେ ଜଡ଼ିତ ଅଧିକାରୀଙ୍କୁ ଆମେ ଦଣ୍ଡ ଦେଉଛୁ । ଇତିମଧ୍ୟରେ ୫୮ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗିରଫଙ୍କ ମଧ୍ୟରେ ୧୭ ଜଣ କ୍ଲାସ ୱାନ୍ ଏବଂ ୭ ଜଣ କ୍ଲାସ୍ ଟୁ ଅଫିସର ଅଛନ୍ତି । ବିଜେଡି ସରକାରର ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ୨୪ ବର୍ଷର ସରକାରର ପତନ ଘଟିଲା ।