ଓଡିଶାରେ ନରେନ୍ଦ୍ର ମୋଦୀଙ୍କର ୭୪ତମ ଜନ୍ମଦିନ ପାଳନ । ସୁଭଦ୍ରାକୁ ନେଇ ଉତ୍ସାହିତ ରାଜ୍ୟବାସୀ…

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସ୍ବାଗତ କରିଥିଲେ । ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ଗାଡକଣ ଅଭିମୁଖେ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦୀଙ୍କୁ କ୍ଷିରୀ ଖାଇବାକୁ ଦେବେ ମହିଳା । ଗାଡ଼କଣ ଗାଁକୁ ଯିବା ଅବସରରେ ତାଙ୍କୁ ଏହି କ୍ଷିରୀ ଖାଇବାକୁ ଦିଆଯିବ । ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଏନେଇ ପ୍ରସ୍ତୁତି ହୋଇଛି । ତାଙ୍କ ବୋହୂ ସୁସ୍ବାଦୁ କ୍ଷିରୀ ପ୍ରସ୍ତୁତ କରିଛନ୍ତି ।
ଏହାପରେ ଜନତା ମଇଦାନ ଆସିବେ । ଏଥିପାଇଁ ରାଜଧାନୀର ଜନତା ମଇଦାନରେ ଭବ୍ୟ ଆୟୋଜନ କରାଯାଇଛି । ଆକର୍ଷଣୀୟ ଷ୍ଟେଜ ସାଙ୍ଗକୁ ୪ଟି ସେଡ୍ କରାଯାଇଛି । ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ ସମେତ ନେତା ,ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ବସିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୭୪ତମ ଜନ୍ମଦିନ । ଏହି ଅବସରରେ ସେ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘ସୁଭଦ୍ରା’ର ଆରମ୍ଭ କରିବା ପାଇଁ ଓଡ଼ିଶା ଆସିଥବା ତାଙ୍କ ଏକ୍ସ ମାଧ୍ୟମରେ ଜଣାଇଛନ୍ତି । ସେପଟେ ସୁଭଦ୍ରା ଯୋଜନା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ମହିଳା । ୧୧ଟା ୫୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରାୟ ୧ ଘଣ୍ଟା ରହି ଅପରାହ୍ନ ୧ଟା ୨୦ ମିନଟରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମଥର ମୋଦି ଓଡ଼ିଶାରେ ତାଙ୍କ ଜନ୍ମଦିନ ପାଳନ କରିବେ ଏ ନେଇ ସମସ୍ତେ ବେଶ ଉତ୍ସାହିତ ରହିଛନ୍ତି ।
ଏ ନେଇ ଚଳଚଞ୍ଚଳ ହୋଇଛି ଜନତା ମଇଦାନ । ଖାଦ୍ୟ, ପାନୀୟ, ଶୌଚାଳୟ ସମେତ ପୁଲିସ କଣ୍ଟ୍ରୋଲ ରୁମ୍ ଆଦିର ବ୍ୟବସ୍ଥା ହୋଇଛି । ଜନତା ମଇଦାନର ୭ ନମ୍ବର ଗେଟ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍କେଡ ପ୍ରବେଶ କରିବ । ସେଥିପାଇଁ ଅସ୍ଥାୟୀ ରାସ୍ତା ମଧ୍ୟ ପ୍ରସ୍ତୁତ ହୋଇଛି । ସାଧାରଣ ଦର୍ଶକ ପ୍ରବେଶ ପାଇଁ ଗାନ୍ଧୀପାର୍କ ସମ୍ମୁଖ ଗେଟ୍ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା ହୋଇଛି । ସେହିପରି ଭିଆଇପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜନତା ମଇଦାନର ମୁଖ୍ୟ ଗେଟ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଆଜି ମୋଦୀ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ । ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ଶିଳାନ୍ୟାସ କରିବା ସହିତ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ଏହାସହ ୨୬ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ । ଏତଦ୍ ବ୍ୟତୀତ ଦେଶ ଉଦ୍ଦେଶ୍ୟରେ ୨୮ଶହ କୋଟିର ରେଳ ପ୍ରକଳ୍ପ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ । ଏବଂ ୧ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।