ଉତ୍ସବମୁଖର ପଶ୍ଚିମ ଓଡିଶା…

ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପାଖରେ ନିର୍ଦ୍ଧାରିତ ସମୟ ସକାଳ ୯ଟା୧୨ରୁ ୯ଟା୨୭ ମଧ୍ୟରେ ନବାନ୍ନ ଲାଗି ହୋଇଛି । ସେହିପରି ବଲାଙ୍ଗିରର ମାଆ ପାଟଣେଶ୍ୱରୀଙ୍କ ନିକଟରେ ମଧ୍ୟ ନିର୍ଦ୍ଧାରିତ ସମୟରେ ଲାଗି ହୋଇଛି ନବାନ୍ନ । ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇଛି ।
ଏହାସହ ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗାଯାଉଛି । ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠାତ୍ରୀ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯାଉଛି । ପ୍ରଥମ ଶସ୍ୟକୁ ଇଷ୍ଟ ଦେବୀଙ୍କ ନିକଟରେ ଅର୍ପଣ କରିବାର ପରମ୍ପରାକୁ କୁହାଯାଇଥାଏ ନୂଆଖାଁଇ । ମା’ ନିକଟରେ ଅର୍ପଣ କରାଯାଉଥିବା ଚାଉଳକୁ ପଶୁପକ୍ଷୀ ବି ଅଇଁଠା କରି ନ ଥାନ୍ତି । ତେଣୁ ଫସଲ ପାଚିବା ପୂର୍ବରୁ ବିଲରୁ ଅମଳ କରି ଆଣି ମା’ଙ୍କୁ ଅର୍ପଣ କରାଯାଇଥାଏ । ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବାର ବିଧି ରହିଛି । ଏହାପରେ ପରିବାରର ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବେ ।
ଏହି ଅବସରରେ ଘରେ ଘରେ ସମସ୍ତ ପରିବାର ସଦସ୍ୟ ନୂଆ ବସ୍ତ୍ର ପିନ୍ଧିଥାନ୍ତି । ନୂଆଁଖାଇ ସରିବା ପରେ ନିଜଠୁ ବଡ଼ ଲୋକଙ୍କୁ ଜୁହାର୍ ବା ଭେଟ୍ (ପ୍ରଣାମ) ହୋଇ ଆଶୀର୍ବାଦ ନେବାର ଏକ ସ୍ବତନ୍ତ୍ର ଓ ନିଆରା ପରମ୍ପରା ରହିଛି । ନୂଆଁଖାଇ ପାଳନ ନିମନ୍ତେ ଦେଶବିଦେଶରୁ ଲୋକେ ନିଜ ଘରକୁ ଛୁଟି ଆସିଥାନ୍ତି । ଏଥର ନୂଆଁଖାଇ ପରଦିନ ସ୍କୁଲ୍, କଲେଜ୍, ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା ହୋଇଥିବାରୁ ବହୁ ଲୋକ ସେଦିନ ବୁଲାବୁଲି କରି ଉପଭୋଗ କରିବାକୁ ଯୋଜନା କରିଛନ୍ତି ।