ବିଦ୍ୟାଳୟରେ ଜମିଛି ମଦର ଆସର । ଶିକ୍ଷକଙ୍କ ଔଦ୍ଧତ୍ୟ ପାଇଁ ବିପଦରେ ବିଦ୍ୟାର ମନ୍ଦିର…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଗାଁ ପରିମଳ ଧୋବା ତୁଠରୁ । ଆଉ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂସ୍କାର ଶିକ୍ଷା ପରିବେଶରୁ । ମାତ୍ର ଏଠାରେ ଏ କି ପ୍ରକାରର ଶିକ୍ଷା ସଂସ୍କାର । ଯେଉଁ ପବିତ୍ର ସ୍ଥଳରେ ଆଗାମୀ ପିଢୀର ଭବିଷ୍ୟତ ଗଠନ କରାଯାଏ, ସେଠାରେ ଶିକ୍ଷକ ନିଜ ସହକର୍ମୀ ଏବଂ ଦଶମଶ୍ରେଣୀ ଛାତ୍ରଙ୍କୁ ନେଇ ଜମେଇଛନ୍ତି ମଦର ଆସର । କହିବାକୁ ଗଲେ ସ୍କୁଲ ପାଲଟିଯାଇଛି ମଦୁଆଙ୍କ ଆଡ୍ଡା ସ୍ଥଳୀ । ଏ ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଆମନା ସଞ୍ଜପଡ଼ା ଉଚ୍ଚ ବିଦ୍ୟାଳୟ ପରିସରର । ବିଦ୍ୟାଳୟର ଜଣେ ଶିକ୍ଷକ କିଛି ସହକର୍ମୀ ଓ ଅସାମାଜିକ ଯୁବକଙ୍କ ସମେତ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଧରି ରାତିରେ ମଦ୍ୟପାନ କରି ଭୋଜିଭାତ ଖାଉଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ଗତକାଲି ରାତ୍ରିରେ ସଂଜପଡ଼ା ଗ୍ରାମର କିଛି ଗଜସାଥିମାନେ ହାତୀ ଉପଦ୍ରବ ଓ ହାତୀଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ରାତ୍ରି ପେଟ୍ରୋଲିଂ କରୁଥିଲେ । ପେଟ୍ରୋଲିଂ ସମୟରେ ବିଦ୍ୟାଳୟ ପରିସରରେ କିଛି ଯୁବକ ଓ ବିଦ୍ୟାଳୟର ସହକର୍ମୀ ଶିକ୍ଷକ ଅରୁଣ କୁମାର ନାୟକ ଏବଂ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଧରି ମଦ୍ୟପାନ କରିବା ସହ ଭୋଜିଭାତର ଆସର ଜମେଇଥିବା ଦେଖିବାକୁ ପାଇଥିଲେ ।
ଖବର ପ୍ରଘଟ ହେବାପରେ ଗ୍ରାମବାସୀ ଏ ବାବଦରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ବିଦ୍ୟାଳୟ ହେଉଛି ଏକ ପବିତ୍ର ଗୃହ, ଯେଉଁଠାରୁ ଛାତ୍ର ଜୀବନର ଅୟାରମ୍ଭ ହୋଇଥାଏ । ତେବେ ବଡ଼ ପରିତାପର ବିଷୟ ବିଦ୍ୟାଳୟ ପରି ଜ୍ଞାନର ମନ୍ଦିର ପରିସରରେ ଜଣେ ଶିକ୍ଷକଙ୍କ ଏଭଳି ଔଦ୍ଧତ୍ୟ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏଭଳି ଘଟଣାକୁ ସ୍ଥାନୀୟବାସୀ ତଥା ବୁଦ୍ଧିଜୀବୀ ଦୃଢ ନିନ୍ଦା କରିଛନ୍ତି । ଅପରପକ୍ଷେ ଏ ବାବଦରେ ଆମ ପ୍ରତିନିଧି ଫୋନ୍ ଯୋଗେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ନ ଥିବା କହିଛନ୍ତି । ଏବଂ ଘଟଣାର ସତ୍ୟାସତ୍ୟ ପରକ୍ଷିବା ପରେ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।