ନିଜ ଆୟତ୍ତରେ ନାହିଁ ହିନ୍ଦୋଳ ଏନ୍ଏସି, ଫିକା ପଡିଲା ସ୍ୱାୟତ୍ତ ଶାସନ ଦିବସ

ହିନ୍ଦୋଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିରେ ୧୨ ବର୍ଷ ପରେ ପ୍ରଥମଥର ପାଇଁ ସ୍ୱାୟତ୍ତ ଶାସନ ଦିବସ ପାଳନରେ ଦେଖାଦେଇଛି ବ୍ୟତିକ୍ରମ । ଖବରରୁ ପ୍ରକାଶ, ଗତ ୧୨ବର୍ଷ ଧରି ଅତି ଆଡମ୍ବରରେ ପାଳିତ ହୋଇଆସୁଥିଲା ହିନ୍ଦୋଳ ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ । ଆମନ୍ତ୍ରିତ ହେଉଥିଲେ ସହରର ବୟୋଜ୍ୟଷ୍ଠ, ବୁଦ୍ଧିଜୀବୀ, ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିବିଶେଷ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ, ସାଧାରଣ ଜନତା । ଏବଂ ସମ୍ବର୍ଦ୍ଧିତ ହେଉଥିଲେ ବିଶିଷ୍ଟ ବ୍ୟକ୍ତିବିଶେଷ । ମାତ୍ର ଚଳିତବର୍ଷ ସ୍ୱାୟତ୍ତ ଶାସନ ଦିବସ ପାଳନ ହେଲା କେବଳ ନାମକୁମାତ୍ର । ତାହାବି ସମସ୍ତଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ବେଖାତିର କରି ଅଣଦେଖା କରି । ଯେଉଁଥିରେ ପାରିଷଦମାନେ ଅସନ୍ତୁଷ୍ଟ ହୋଇ କେହି ଯୋଗନଦେବାରୁ ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ଅଧ୍ୟକ୍ଷଙ୍କ ଦୁଇ ବିଶ୍ୱସ୍ତ କାଉନସିଲର, କର୍ମଚାରୀମାନଙ୍କୁ ନେଇ କେବଳ ପୁଷ୍ପମାଲ୍ୟ ଅର୍ପଣ ଓ ପତାକା ଉତ୍ତୋଳନ କରି ସାରିଦେଲେ କାର୍ଯ୍ୟକ୍ରମ । ଏହାକୁ ନେଇ ଏବେ ସହରସାରା ଚର୍ଚ୍ଚା । ଏହି ଅବସରରେ ୧୪ଜଣ କାଉନସିଲର ଯୋଗ ଦେଇନ ଥିବାବେଳେ ସାଂସଦ, ବିଧାୟିକା କିମ୍ବା ସେମାନଙ୍କ ପ୍ରତିନିଧି, ସହରର କେହିବି ବିଶିଷ୍ଟ ବ୍ୟକ୍ତି, ଜନସାଧାରଣ ମଧ୍ୟ ଯୋଗଦେଇନଥିଲେ । ଏପରିକି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇନଥିଲା । କହିବାକୁ ଗଲେ ସମ୍ପୂର୍ଣ ଫିକା ପଡିଯାଇଥିଲା ସ୍ୱାୟତ୍ତ ଶାସନ ଦିବସ ।
ନିର୍ବାଚନ ସମୟରେ ପରିଷଦର ବିନା ଅନୁମୋଦନରେ ନିର୍ବାଚନ ପାଇଁ ୧୭ଲକ୍ଷ ଖର୍ଚ୍ଚ, ନିର୍ଦ୍ଧିଷ୍ଟ ଗୋଟିଏ ୱାର୍ଡରେ ୧୭-୧୮ଲକ୍ଷ କାମ କରାଯାଇଥିବାବେଳେ ଅନ୍ୟ କୌଣସି ୱାର୍ଡ ପାଇଁ ଟେଣ୍ଡର ନହେବା, କର୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ, ଆୟ ବ୍ୟୟ ହିସାବ ନଦେବା ଏବଂ ୱାର୍ଡର ଆବଶ୍ୟକତା ଅନୁଯାୟୀ କାଉନସିଲରଙ୍କୁ ପ୍ରାଧାନ୍ୟ ନଦେବା ଓ ୱାର୍ଡ କାର୍ଯ୍ୟକୁ ବାରମ୍ବାର ଅଣଦେଖା କରାଯିବା, ପରିଷଦ ଅଗୋଚରରେ ମନମୁଖି କାର୍ଯ୍ୟ କରିବା ଏବଂ ନିୟମାନୁଯାୟୀ ମାସିକ ବୈଠକ ନକରିବା ଇତ୍ୟାଦି କାରଣ ପାଇଁ ଅସନ୍ତୁଷ୍ଟ ଉପାଧ୍ୟକ୍ଷାଙ୍କ ସମେତ ୧୪ଜଣ କାଉନସିଲର ଏହି କାର୍ଯ୍ୟକ୍ରମରେ ଯୋଗଦେଇନଥିଲେ । ଏପରିକି ଖୋଦ ଅଧ୍ୟକ୍ଷଙ୍କ ଅତି ଅନ୍ତରଙ୍ଗ ଦୁଇଜଣ କାଉନସିଲର ଅନୁପସ୍ଥିତ ରହିବା ଚର୍ଚ୍ଚାର କାରଣ ପାଲଟିଛି । ଯାହା କି ଏକ ଭିନ୍ନ ସଂକେତ ଦେବା ସହ ଆଗକୁ ହିନ୍ଦୋଳ ଏନ୍ଏସି ରାଜନୈତିକ ପାଣିପାଗକୁ ଗୋଳିଆ କରିଦେଇଛି ।
କାଉନସିଲରମାନଙ୍କ ଗୋପନୀୟ ମତ ଅନୁଯାୟୀ ଅଧ୍ୟକ୍ଷ ନିର୍ଦ୍ଧିଷ୍ଟ ଜଣେ କାଉନସିଲର ଓ ଜୈନିକ ପ୍ରଭାବଶାଳୀ କର୍ମୀଙ୍କ କଥାରେ ପରିଚାଳିତ ହୋଇ ସମସ୍ତ କାଉନସିଲରଙ୍କୁ ଅଣଦେଖାକୁ ନେଇ କାଉନସିଲରମାନଙ୍କ ମଧ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହିସବୁ ଘଟଣାବଳିକୁ ନେଇ ହିନ୍ଦୋଳ ଏନ୍ଏସିର ଜନସାଧାରଣ, ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।