ମର୍ଦକୋଟ ଗ୍ରାମରେ ସମ୍ପୂର୍ଣ୍ଣ ମଦ କାରବାର ବନ୍ଦ କରିବା ପାଇଁ ଥାନାର ସହଯୋଗ ଲୋଡିଛନ୍ତି ଗ୍ରାମବାସୀ…

ଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦକୋଟ ଗ୍ରାମରେ ସମ୍ପୂର୍ଣ୍ଣ ମଦ କାରବାର ବନ୍ଦ କରିବା ପାଇଁ କୋଦଳା ଥାନାର ସହଯୋଗ ଲୋଡିଛନ୍ତି ଗ୍ରାମବାସୀ । ଚିକିଟି ମଦମୃତ୍ୟୁ ମାମଲା ରାଜ୍ୟର ଚହଳ ସୃଷ୍ଟି କରିଛି । ଗାଁ ଗାଁରେ ଚୋରା ମଦ କାରବାର ବୃଦ୍ଧି ଯୋଗୁଁ ମଦମୃତ୍ୟୁ ଭୟ ରହୁଛି । ଦିନକୁ ଦିନ ମଦ୍ୟପାନ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ପିଲାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ମଦ୍ୟପାନ କରିବାରେ ପଛାଉ ନାହାନ୍ତି । ମର୍ଦ୍ଦକୋଟର ବିଦ୍ୟାଳୟ ନିକଟରେ ମଦ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଗାଁରେ ମଦ ବନ୍ଦ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମବାସୀଙ୍କୁ ସଚେତନ କରାଯିବା ପରେ କୋଦଳା ଥାନାରେ ଏକ ଦାବିପତ୍ର ପ୍ରଦାନ କରି ସହଯୋଗ ଲୋଡିଛନ୍ତି ଗ୍ରାମବାସୀ । ପରବର୍ତ୍ତୀ ସମୟରେ ମଦ ବିରୋଧୀ ଶୋଭାଯାତ୍ରା କରି ସଚେତନ କରାଯିବ ଏବଂ ଯଦି ଗାଁରେ କୌଣସି ବ୍ୟକ୍ତି ଏଥିରେ ଅମାନ୍ୟ କରି ପୁଣି ମଦ ବିକ୍ରି କରନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ଗ୍ରାମବାସୀ । ଦାବିପତ୍ର ପ୍ରଦାନ ସୟରେ ମର୍ଦ୍ଦକୋଟ ସରପଞ୍ଚ ସନ୍ତୋଷ କୁମାର ବିଶ୍ୱାଳ, ବିଜେପି ନେତା ସଞ୍ଜୟ ଘୋଷଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।