ଓଡିଶାର ପ୍ରଥମ ସର୍ବବୃହତ ହାଇଜେନିକ ଫିସ୍ ମାର୍କେଟ ପାଇଁ ଭିିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ୱର, (ଏଫ୍ଟୁଏସ୍) : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବାହାର୍ଦାରେ ହେବ ଓଡିଶାର ପ୍ରଥମ ଏବଂ ଭାରତର ଦ୍ୱୀତୀୟ ସର୍ବବୃହତ ହାଇଜେନିକ ଫିସ୍ ମାର୍କେଟ ଏବଂ ପ୍ରୋସେସିଂ ପ୍ଲାଣ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଭିିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ହାଇଜେନିକ ଫିସ୍ ମାର୍କେଟ ପାଇଁ ୭୮ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର । ଏଠାରେ ମାଛ ମାର୍କେଟ ହେଲେ ସାରା ଓଡିଶାର ମତ୍ସ୍ୟଜୀବୀମାନେ ଉପକୃତ ହୋଇ ପାରିବେ । ଓଡିଶାରେ ମାଛ ମାର୍କେଟ ଏବଂ ପ୍ରୋସେସିଂ ପ୍ଲାଣ୍ଟ ନଥିବାରୁ ଓଡିଶାର ମତ୍ସ୍ୟଜୀବୀ ପଡୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଥିଲେ । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଆଉ ଅନ୍ୟ ରାଜ୍ୟ ଉପରେ ଭରସା କରିବାକୁ ପଡିବ ନାହିଁ କିମ୍ବା ମାଛ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡିବ ନାହିଁ । ଏହାଦ୍ୱାର ୧୯ ହଜାର ମାଛ ଚାଷୀ ଲାଭବାନ ହେବା ସହିତ ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇ ପାରିବେ । ଏହି ମାକେର୍ଟ ୨ ହଜାର ୫ ଶହ ସହ ଟନ କ୍ଷମତା ବିଶିଷ୍ଟ ହେବ । ଏଠାରେ ମାଛ ପ୍ରୋସେସିଂ ପ୍ଲାଣ୍ଟ ସହିତ ମାଛ ମଣ୍ଡି, ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଯାହାଦ୍ୱାରା ଅଞ୍ଚଳର ବିକାଶ ହେବା ସହିତ ମାଛ ରପ୍ତାନି କ୍ଷେତ୍ରରେ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବ ବୋଲି କହିଛନ୍ତି ମତ୍ସ୍ୟ ଏବଂ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସମେତ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ବିଧାୟକ ମାନସ ରଞ୍ଜନ ଦତ୍ତ, ବସ୍ତା ବିଧାୟିକା ସୁବାସୀନି ଜେନା, ରାଜ୍ୟ ମତ୍ସ୍ୟ ବିଭାଗର ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।