ଖଡ଼ିଆଳ ରାଜ ଦରବାରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ…

ନୂଆପଡ଼ା, (ଏଫ୍ଟୁଏସ୍/ କୀର୍ତ୍ତି ଚନ୍ଦ୍ର ନାଗ) : ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ହେଉଛି ନୂଆଁଖାଇ । ଖଡ଼ିଆଳ ରାଜ ଦରବାରଠାରେ ପୂର୍ବ ପୁରୁଷଙ୍କଠାରୁ ଚଳି ଆସୁଥିବା ପରମ୍ପରା ଅନୁଯାୟୀ ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖ ରବିବାର ଶୁକ୍ଳପକ୍ଷ ପଞ୍ଚମୀ ପୂର୍ବାହ୍ନ ୯ ଘଣ୍ଟା ୪୦ ମିନିଟରୁ ୧୦ ଘଣ୍ଟା ୧୨ମିନିଟ ମଧ୍ୟେ ନବାନ୍ନ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ଜଣା ପଡ଼ିଛି । ରାଜାରାଜୁଡ଼ା ଅମଳରୁ ପ୍ରତ୍ୟେକ ବର୍ଷ ଏହିପରି ଭାବରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଉଥିବା ବେଳେ ଚଳିତ ବର୍ଷ ରାଜପରିବାର ସଦସ୍ୟ, ରାଜ ଜ୍ୟୋତିଷ, ରାଜ ପୁରୋହିତଙ୍କ ଉପସ୍ଥିତିରେ ରାଜ ଦରବାରରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଖଡ଼ିଆଳ ଯୁବରାଜ ଦେବଦେବ ସିଂ ଦେଓଙ୍କ ଉପସ୍ଥିତିରେ ରାଜ ଜ୍ୟୋତିଷ ପ୍ରଫୁଲ୍ଲ ରଥ, ରାଜ ପୁରୋହିତ ସୁଦର୍ଶନ ଠାକୁର, ତାରା ଚନ୍ଦ୍ର ଆଚାର୍ଯ୍ୟ, ବଡ଼ ପଣ୍ଡା-ଆଶିଷ ପଣ୍ଡା, ଅର୍ଜୁନ ପଣ୍ଡା, ଶିବ ରମଣ ସିଂ ଦେଓ, ବିଜୟ କୁମାର ବାବୁ, ସମଲେଶ୍ୱରୀ ମନ୍ଦିର ପୂଜକ ବ୍ରଜ କିଶୋର ଦଣ୍ଡସେନା, ରକ୍ତାମ୍ବରୀ ମନ୍ଦିର ପୂଜକ ଗଣେଶ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରିଥିବା ସୂଚନା ମିଳିଛି ।