କମ୍ ବୟସର ପ୍ରେମକୁ ସ୍ୱୀକାର କଲାନି ପରିବାର । ଶେଷରେ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମୀ ଯୁଗଳ…

ହିନ୍ଦୋଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ପ୍ରେମ ପାଇଁ ସମର୍ଥନକୁ ଖାତିର ନ କରି ବିବାହ କଲେ । ମାତ୍ର ବିବାହ ପରେ ବି ସେମାନଙ୍କ ବିବାହକୁ ଘରଲୋକ ସ୍ୱୀକୃତି ନ ଦେବାରୁ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମୀ ଯୁଗଳ । ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଥାନା ଅନ୍ତର୍ଗତ ସାତମାଇଲ-ବାଘଧରିଆ ମୁଖ୍ୟ ରାସ୍ତାରେ ବିଷ କ୍ରିୟା କରି ଗୁରୁତର ଅବସ୍ଥାରେ ପଡ଼ିଥିଲେ ଦୁଇ ପ୍ରେମୀ ଯୁଗଳ । ସେମାନଙ୍କୁ ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକ ଦେଖିବା ପରେ ଉଦ୍ଧାର କରି ଚିକିତ୍ସା ପାଇଁ ରାସୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରଥମେ ଅନୁଗୁଳ ଡାକ୍ତରଖାନା ଏବଂ ପରେ କଟକ ବଡ ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି ।
ଘଟଣାରୁ ପ୍ରକାଶ, ହିନ୍ଦୋଳ ଥାନା ବାଉଁଶପୋଖରୀ ପଞ୍ଚାୟତ କର୍ଣ୍ଣପୁର ଯୋଗିସାହି ଗ୍ରାମର ଚୀଲା ନାଥଙ୍କ ପୁଅ ବିକାଶ ନାଥ (୨୧) ଓ କଂସରା ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମର ଟିକନ ଗଡନାୟକଙ୍କ ଝିଅ ସୋନାଲି ଗଡ଼ନାୟକ (୧୭)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ଉଭୟଙ୍କୁ ପାଇବା ପାଇଁ ପାଗଳ ହୋଇ ଉଠିଥିଲେ । ବିବାହ ପାଇଁ ଆବଶ୍ୟକୀୟ ଆଇନଗତ ବୟସ ସୀମାକୁ ମଧ୍ୟ ଖାତିର କରିନଥିଲେ ଦୁହେଁ । ଉଭୟଙ୍କ ପରିବାର ଏହାକୁ ସ୍ୱୀକୃତି ନ ଦେବାରୁ ପ୍ରେମୀ ଯୁଗଳ ଏହାକୁ ଭୃକ୍ଷେପ ନ କରି ଘରୁ ପଳାୟନ କରିଥିଲେ । ଗତ ଶନିବାର ଦୁହେଁ କୌଣସି ସ୍ଥାନରେ ବିବାହ କରି ଘରକୁ ଫେରିଥିଲେ । ସୋନାଲି ମଥାରେ ସିନ୍ଦୂର ଦେଇ ବୋହୂ ବେଶରେ ବିକାଶଙ୍କ ସାଥିରେ ଶ୍ୱଶୁର ଘରକୁ ଯାଇଥିଲେ । ମାତ୍ର ଘରେ ଦୁହିଁଙ୍କ ବିବାହକୁ ସମର୍ଥନ ନମିଳିବାରୁ ଦୁହେଁ ସେଠାରୁ ପଳେଇ ଆସିଥିଲେ । ବୁଧବାର ସକାଳେ ହଠାତ୍ ସାତମାଇଲ-ବାଘଧରିଆ ମୁଖ୍ୟ ରାସ୍ତାର ମଧ୍ୟ ସ୍ଥଳରେ ଦୁଇଜଣ ଯୁବକ ଯୁବତୀ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିଥିଲେ ସେହି ବାଟ ଦେଇ ଯାତାୟାତ କରୁଥିବା ଲୋକ । ପରେ ସେମାନେ ଦୁହିଁଙ୍କୁ ଉଦ୍ଧାର କରି ରାସୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଦୁହେଁ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।