ବନ୍ଦ ଦୋକାନ ଘରୁ ମିଳିଲା ବ୍ୟବସାୟୀ ମୃତଦେହ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଥାନା ବାଉଁଶପୋଖରୀ ଗ୍ରାମର ବ୍ୟବସାୟୀ ସନ୍ତୋଷ ସେଠୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ । ସେ ତାଙ୍କ ଦୋକାନରେ ଶୋଇଥିବା ବେଳେ ଗତ ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗୁରୁବାର ସକାଳେ ଜଣେ ଗ୍ରାହକ ତାଙ୍କ ଦୋକାନକୁ କ୍ଷୀର ପ୍ୟାକେଟ କିଣିବାକୁ ଯାଇଥିଲେ । ସେ ବହୁତ ସମୟ ଧରି ଡାକିବା ପରେ ବ୍ୟବସାୟୀ ଜଣକ ଦୋକାନ ନ ଖୋଲିବାରୁ ତାଙ୍କ ପରିବାର ଓ କେତେକ ଗ୍ରାମବାସୀ ମିଶି କବାଟ ଭାଙ୍ଗିଥିଲେ । ତେବେ ଦୋକାନ ଭିତରେ ସନ୍ତୋଷଙ୍କୁ ମୃତ ଅବସ୍ଥାରେ ଦେଖି ସ୍ଥାନୀୟଲୋକ ହିନ୍ଦୋଳ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ହିନ୍ଦୋଳ ଡାକ୍ତରଖାନାକୁ ପଠାଇ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସନ୍ତୋଷଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଫରେନ୍ସିକ୍ ରିପୋର୍ଟ ମିଳିବା ପରେ ମୃତ୍ୟୁ ରହସ୍ୟ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।
ଏଠାରେ ପ୍ରକାଶ ଥାଉକି, ବାଉଁଶପୋଖରୀ ଗ୍ରାମର ଦୁର୍ଗାଚରଣ ସେଠୀଙ୍କ ପୁଅ ସନ୍ତୋଷ ଗ୍ରାମ ଛକରେ ୮ ରୁ ୧୦ ବର୍ଷ ଧରି ଦୋକାନ କରି ଆସିଥିଲେ । ତାଙ୍କ ମୃତ୍ୟୁରେ ବାଉଁଶପୋଖରୀ ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।