ଶ୍ରୀକ୍ଷେତ୍ର ଧାମକୁ ନେଇ ବଡ ଘୋଷଣା । ରାଜ୍ୟରେ ସୁଗମ ହେବ ଗମନାଗମନ ବ୍ୟବସ୍ଥା…

ଶ୍ରୀକ୍ଷେତ୍ର ଧାମକୁ ନେଇ ବଡ ଘୋଷଣା । କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀଙ୍କୁ ନୀତିନ ଗଡକରୀଙ୍କୁ ଭେଟିବା ପରେ ବଡ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରଦ୍ଧାଳୁଙ୍କ ଗମନା ଗମନାକୁ ସୁଗମ କରିବା ପାଇଁ ୪ ଲେନ୍ ବିଶିଷ୍ଟ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ୬ ଲେନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ରାସ୍ତାର ଦୁଇ ପାର୍ଶ୍ୱରେ ସର୍ଭିସ୍ ରୋଡ୍ ତିଆରି ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୮ ଶହ କୋଟି ଟଙ୍କା । ସେହିପରି ଚଣ୍ଡିଖୋଲରୁ ବଡବିଲ ପର୍ଯ୍ୟନ୍ତ ପ୍ରାୟ ୨୦୦ କିମି ବ୍ୟାପୀ ରାସ୍ତା ହେବ ୮ ଲେନ୍ ବିଶିଷ୍ଟ । ଏଥିସହ ୨ ଲେନ୍ ସର୍ଭିସ ରୋଡ୍ ମଧ୍ୟ ରହିବ । ବର୍ତ୍ତମାନ ଚଣ୍ଡିଖୋଲ-ପାରାଦୀପ ରାସ୍ତା ନିର୍ମାଣ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ଖୋର୍ଦ୍ଧା-ନୟାଗଡ ଏନ୍ଏଚ୍ -୫୭କୁ ୪ ଲେନ୍ ବିଶିଷ୍ଟ, କେସିଙ୍ଗା-ଜୁନାଗଡ ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବା ପାଇଁ କେନ୍ଦ୍ରୀୟ ସଡକ ଓ ଭିତ୍ତିଭୂମି ପାଣ୍ଠି ମିଳିଛି । ଏହାବାଦ୍ ସେତୁବନ୍ଧ ଯୋଜନାରେ ମଧ୍ୟ ଓଡିଶାକୁ ୨୫୦ କୋଟି ଟଙ୍କା ଅନୁଦାନ ମିଳିଛି । ମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଥିଲେ । ରାଜ୍ୟରେ ୫୧ଟି ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କ ସହ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଭାଗୀୟ ଅଧିକାରୀମାନେ ଯାଇଥିଲେ । ଓଡ଼ିଶାର ଗମନାଗମନ କ୍ଷେତ୍ରର ଉନ୍ନତି ପାଇଁ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ଗଡକରୀ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।