ଭଗବତ ପ୍ରେମରେ ଉଦବୁଦ୍ଧ ଶ୍ରଦ୍ଧାଳୁ…

ସାଲେପୁର, (ଏଫ୍ଟୁଏସ୍/ଅଭୟ ଜେନା) : ବେଦ ଉପନିଷଦ ହେଉଛି ମନୁଷ୍ୟ ଜୀବନର ମୂଳ ଆଧାର । ହେଲେ ଆଜିର କଥା କଥିତ ସମାଜରେ ଏହି ମୂଳ ଆଧାର ବିଲୁପ୍ତ ପ୍ରାୟ । ଆଧ୍ୟାତ୍ମିକ ଚେତନା ଏବଂ ପୁରାତନ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ନିଆରା ପ୍ରୟାସ କରିଛନ୍ତି ମହାନଦୀ ଚିତ୍ରୋତ୍ପଳା ଦୋଆବ ଅଞ୍ଚଳର ଦାମୋଦରପୁର, ଜନାର୍ଦ୍ଦନପୁର ଓ ଖଣ୍ଡଗିରି ଗ୍ରାମ ତଥା ଆଖପାଖ ଅଞ୍ଚଳର ବାସିନ୍ଦା । ବିଗତ ପାଞ୍ଚବର୍ଷ ହେବ ଦାମୋଦରପୁର ଗ୍ରାମରେ ପ୍ରତିଷ୍ଠା ହୋଇଛି ଭାଗବତ ଟୁଙ୍ଗି । ପୂର୍ବେ ଯେଉଁଭଳି ଭାବରେ ମାଟି,ଚାଳ,ଛପର ଘର ଓ ଝୋଟି ଚିତା ପଡି ଘର ମନୋରମ ହୋଇଥାଏ, ସେହିଭଳି ଭାବରେ ନିର୍ମିତ ହୋଇଛି ଭାଗବତ ଟୁଙ୍ଗି । ଯେଉଁଠି ପ୍ରତ୍ୟହ ସନ୍ଧ୍ୟାରେ ଶ୍ରୀମଦ ଭଗବତ ପାଠ ଓ ଚର୍ଚ୍ଚା ହୋଇଥାଏ । ଗାଁ ଗହଳିର ପୁରୁଖା ପୁରୁଷ ମହିଳାଙ୍କଠାରୁ ଆରମ୍ଭ କରି ଯୁବକ ବାଳକ ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଖିବାକୁ ମିଳେ ଏଠାରେ । ବସ୍ତୁବାଦୀ ସମାଜରେ ଅଧ୍ୟାତ୍ମବାଦକୁ ସମସ୍ତେ ଆପଣାଇ ପାରିଲେ ହୁଏତ ସମାଜରେ ଅଶେଷ ଶାନ୍ତି ଓ ସଦଭାବନା ବିରାଜମାନ କରିବ ବୋଲି ବିଚାର କରି ସଫଳ ପ୍ରୟାସ କରିଛନ୍ତି ଉଦ୍ୟୋକ୍ତା । ଦାମୋଦରପୁର ଗ୍ରାମର ଅରକ୍ଷିତ ସାହୁ ଓ ତପନ କୁମାର ସାହୁଙ୍କ ତତ୍ୱାବଧାନରେ ସହଯୋଗୀ ଭଗବତ ପ୍ରେମୀମାନଙ୍କ ଉଦ୍ୟମ ଓ ସହଯୋଗରେ ପଞ୍ଚମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ବିଧି ପୂର୍ବକ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ରାଧାମାଧବ ମଠର ମହନ୍ତ ଶ୍ରୀ ବିପ୍ର ଚରଣ ଦାସଙ୍କ ପୌରୋହିତ୍ୟରେ ବିକ୍ରମ ଦାସ ପୂଜାର୍ଚନା କରିଥିଲେ । ଏହି ଉପଲକ୍ଷେ ସଂକୀର୍ତନ, ଭଜନ ସମାରୋହ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।