ସୁନାବେଶ ଏବଂ ଅଧରପଣାରେ ପୁରୀକୁ ୭୬ ଟି ସ୍ୱତନ୍ତ୍ର ଟ୍ରେନ…

ମହଣ ମହଣ ରତ୍ନ ଅଳଙ୍କାରରେ ଆଭୂଷିତ ହେବେ ମହାବାହୁ
ବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ : ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ନବଦିନାତ୍ମକ ଲୀଳାଖେଳା ସାରି ପବିତ୍ର ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି । ସିଂହଦ୍ୱାରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଜମିଛି । ଆସନ୍ତା ବୁଧବାର ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ମହଣ ମହଣ ରନô ଅଳଙ୍କାରରେ ଆଭୂଷିତ ହେବେ ମହାବାହୁ । ତା’ପରେ ଅଧରପଣା ଏବଂ ଶୁକ୍ରବାର ରହିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ।
ସୁନାବେଶ ଲାଗି ତୀର୍ଥଯାତ୍ରୀ ଓ ଭକ୍ତଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସମୟରେ ପୁରୀକୁ ୭୬ ଟି ସ୍ୱତନ୍ତ୍ର ଟ୍ରେନ ଯଥା ସୁନାବେଶ ପାଇଁ ୪୩ ଓ ଅଧରପଣା ପାଇଁ ୩୩ଟି ଟ୍ରେନ ଗଡ଼ିବ ବୋଲି ସୂଚନା ମିଳିଛି । ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ, ଭକ୍ତଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇଛି । ଷ୍ଟେସନରେ ଅତିରିକ୍ତ ବୁକିଂ କାଉଣ୍ଟର ମଧ୍ୟ ଖୋଲାଯାଇଛି । ପାରାଦୀପ-ପୁରୀ, ଅନୁଗୁଳ-ପୁରୀ, ଭଦ୍ରକ-ପୁରୀ, ଜୁନାଗଡ଼ ରୋଡ-ପୁରୀ, ଖୋର୍ଦ୍ଧାରୋଡ-ପୁରୀ, ଦଶପଲ୍ଲା-ପୁରୀ, ସୋମପେଟା-ପୁରୀ, ପଲାସା-ପୁରୀ, କେନ୍ଦୁଝରଗଡ଼-ପୁରୀ, ଗୁଣପୁର-ପୁରୀ, ଜଗଦଲପୁର-ପୁରୀ, ସୋନପୁର-ପୁରୀ, ସମ୍ୱଲପୁର-ପୁରୀ ସ୍ୱତନ୍ତ୍ର ରେଳ ଗଡିବା ନେଇ ସୂଚନା ରହିଛି ।
ଗତ ସୋମବାର ସୁରୁଖୁରୁରେ ମହାବାହୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀ-ନାରାୟଣ ଭେଟ ପାଇଁ ଶ୍ରୀନଅର ସମ୍ମୁଖରେ ଅଟକିଥିଲେ କାଳିଆ ସାଆନ୍ତ । ଶ୍ରୀନଅରରୁ ବାହାରିମାଆ ଲକ୍ଷ୍ମୀଙ୍କୁ ରଥ ନିକଟକୁ ଆଣିଥିଲେ ଗଜପତି । ଏହାପରେ ରୀତିନୀତି ମୁତାବକ ଲକ୍ଷ୍ମୀନାରୟଣ ଭେଟ ଅନୁଷ୍ଠିତ ହୋଇଥିଲା । ସିଂହଦ୍ୱାର ଅଭିମୁଖେ ଆସିବା ବାଟରେ ମାଉସୀ ମାଆ ମନ୍ଦିର ନିକଟରେ ଶ୍ରୀଜିଉଙ୍କୁ ପୋଡ଼ପିଠା ଲାଗି ହୋଇଥିଲା ।
ସେପଟେ ଶାନ୍ତି ଶୃଙ୍ଖଳାର ସହ ବାହୁଡ଼ା ଯାତ୍ରା ସରିବା ପରେ, ସିଂହଦ୍ୱାର ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ମହାପ୍ରଭୁଙ୍କ କରୁଣାରୁ ରଥ ଯାତ୍ରା ଶାନ୍ତିଶୃଙ୍ଖଳାରେ ଶେଷ ହେଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ । ସୁନାବେଶରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ ।