ନୂଆ ସରକାର ମୋ ସାହା ଭରସା…

ଜିଲ୍ଲାପାଳ ଶୁଣିଲେନି ସାହାଯ୍ୟର ହାତ ବଢାଇଲେ ନୂଆ ବିଧାୟକ
କନ୍ଧମାଳ, (ଏଫ୍ଟୁଏସ୍) ୦୬/୦୭ : ଅସହାୟଙ୍କ ଦୁଃଖ ଶୁଣିଲେନି ଜିଲ୍ଲା ପ୍ରଶାସନ । ଅସହାୟଙ୍କ ଦୁଃଖ କାହାଣୀ ଶୁଣି ସାହାଯ୍ୟ କଲେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ଉମାଚରଣ ମଲ୍ଲିକ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ରାଇଗୁଡ଼ା ଗ୍ରାମର ଗରିବ ନିରୀହ ରାଜୀବ ଦିଗାଲ । ଦୁର୍ଘଟଣାରେ ରାଜୀବଙ୍କ ଗୌଡ ଭାଙ୍ଗିଯାଇଥିବାବେଳେ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏ ନେଇ ରାଜୀବ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲଙ୍କୁ ଆର୍ଥôକ ସହାୟତା ନିମନ୍ତେ ଲିଖିତ ଅନୁରୋଧ କରିଥିଲେ । ଜିଲ୍ଲାପାଳ ମହୋଦୟ ନିର୍ବାଚନ ପରେ ରାଜୀବଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର ନିର୍ବାଚନ ସରିବା ପରେ ଜିଲ୍ଲାପାଳ ସାହାଯ୍ୟ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ମିଳିପାରିବ ନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ । ରାଜୀବ ଏବଂ ତାଙ୍କ ପରିବାର ଲୋକ ପ୍ରଶାସନ ନିକଟରୁ ପ୍ରତାରିତ ହେବା ପରେ ନିରାଶ ହୋଇ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲଙ୍କ ସହଯୋଗ ଲୋଡିଥିଲେ । ଅଧ୍ୟକ୍ଷ ଶ୍ରୀ ଦିଗାଲ ନିଜ ତରଫରୁ ରାଜୀବଙ୍କୁ ସାହାଯ୍ୟ କରିବା ସହିତ ଫୁଲବାଣୀର ନୂଆ ବିଧାୟକ ଉମାଚରଣ ମଲ୍ଲିକଙ୍କୁ ସାକ୍ଷାତ କରି ରାଜୀବ ଦିଗାଲଙ୍କ ବାବଦରେ ଅବଗତ କରାଇଥିଲେ ।
ବିଧାୟକଙ୍କ ସହାୟତାରେ ବର୍ତ୍ତମାନ ରାଜୀବ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ତେବେ ସରକାର ବଦଳିବାରୁ ଜିଲ୍ଲାପାଳ ଗରିବଙ୍କ ଦୁଃଖ ଶୁଣୁନଥିବା ସିଧା ସଳଖ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଜିଲ୍ଲାପାଳଙ୍କ ଏଭଳି ବ୍ୟବହାରକୁ ନେଇ କନ୍ଧମାଳ ଜିଲ୍ଲାର ବୁଦ୍ଧିଜୀବୀମାନେ ଏହାକୁ ଦୃଢ ନିନ୍ଦା କରିବା ସହିତ କନ୍ଧମାଳ ଜିଲ୍ଲାରେ ନୂତନ ସରକାର ତୁରନ୍ତ ନୂଆ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ଦାବି କରିଛନ୍ତି ।