ଦୀର୍ଘ ୫୩ ବର୍ଷ ପରେ ବିରଳ ରଥଯାତ୍ର । ରାଜ୍ୟରେ ୨ ଦିନ ଛୁଟି ଘୋଷଣା…

ଚଳିତ ବର୍ଷ ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା । ଏଥର ରଥଯାତ୍ରା ଦୁଇ ଦିନ ଧରି ଚାଲିବ । ପୁରୀରେ ସମୀକ୍ଷା ବୈଠକରେ ଏ ନେଇ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫଳରେ ଆସନ୍ତା ୭ ଓ ୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ସବୁ ଛୁଟି ରହିବ ।
ରଥ ଯାତ୍ରାର ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୀର୍ଘ ୫୩ ବର୍ଷ ପରେ ଚଳିତବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି । ନୂଆ ସରକାରରେ ଏଭଳି ସୁଯୋଗ ଆସିବା ଆମର ଭାଗ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତ୍ରୁଟିଶୂନ୍ୟ ରଥଯାତ୍ରା ସମ୍ପନ୍ନ ପାଇଁ ସମସ୍ତ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ସେବାକୁ ଜୀବନର ବ୍ରତ ଭାବେ ପାଳନ କରିବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଦେଖିବା ସହ ରଥ ଟାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏହା ବେଶ ଖୁସି ଓ ଗୌରବର କଥା ବୋଲି କହିବା ସହ ଏହି ବିରଳ ରଥଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।