ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ…

ବ୍ୟୁରୋ ରିପୋର୍ଟ, ୨୯/୬ : ଜୁଲାଇ ୧ ତାରିଖରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ଜୁଲାଇ ପହିଲା ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ଆଜି ତାର ସ୍ଥିତି ପରଖିଛନ୍ତି ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର । ବ୍ୟାରିକେଡ୍ ବ୍ୟବସ୍ଥା, ସିରିଏଲ ମାଧ୍ୟମରେ ଲୋକେ କିପରି ଆସିବେ, ସେନେଇ ଅଧିକାରୀଙ୍କ ସହ କଥା ହୋଇଛନ୍ତି ସଚିବ । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମୟରେ ୩୦ ଜଣ ବସିବା ପାଇଁ ବ୍ୟବସ୍ଥା ରହିବ । ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯିବ । ୨ ଦିନରେ ସବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ବୁଲି ଦେଖିଛନ୍ତି ସଚିବ । ଖୁବଶୀଘ୍ର ବାସଗୃହ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୋଗ ଶୁଣାଣି ପାଇଁ ସେହିଦିନ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ପଞ୍ଜିକରଣ କରାଯିବ । ଆଗ୍ରହୀ ବ୍ୟକ୍ତିମାନେ ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ପଞ୍ଜିକରଣ କରିପାରିବେ ଓ ପରେ ସେମାନଙ୍କ ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ । ଏହାସହ ପ୍ରତ୍ୟେକ ସୋମବାର ଜିଲ୍ଲାପାଳମାନେ ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରିବାକୁ କୁହାଯାଇଛି । ସାଧାରଣ ନିର୍ବାଚନ ଯୋଗୁଁ ଜିଲ୍ଲା ଓ ବିଭାଗସ୍ତରରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିଥିଲା ।
ତଥ୍ୟ ଅନୁସାରେ, ବିଜେଡି ସରକାର ଅମଳରେ ପ୍ରତ୍ୟେକ ସୋମବାର ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳ-ଏସପିମାନେ ଜନ ଅଭିଯୋଗ ଶୁଣାଣି କରୁଥିଲେ । ତେବେ ଖରାଦିନ ଓ ନିର୍ବାଚନ ସମୟରେ ଏହି ଶୁଣାଣି ବନ୍ଦ ରହୁଥିଲା ।