ବାରମ୍ବାର ବିଦ୍ୟୁତ କାଟ୍; ପେଶି ହେଉଛନ୍ତି ସାଧାରଣ ଜନତା

ଗଜପତି, ୨୯/୬ : ବାରମ୍ବାର ବିଦ୍ୟୁତ କାଟକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଦୁଇ ଗ୍ରାମବାସୀ । ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ଅମରା ଓ ଡାଳିମ୍ବପୁରର ଗ୍ରାମବାସୀ ବାରମ୍ବାର ବିଦ୍ୟୁତ କାଟକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବର୍ତ୍ତମାନ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ବିନା ବିଦ୍ୟୁତରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ଏଭଳି ପରିସ୍ଥିତିରେ ବାରମ୍ବାର ବିଦ୍ୟୁତ କାଟ୍ ହେଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି । ଅପରପକ୍ଷେ ସମସ୍ୟା ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉନ ଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ଯଦି ଆଗାମୀ ଦିନରେ ଏହି ସମସ୍ୟାର ଉପଯୁକ୍ତ ସମାଧାନ ନ ହୁଏ ତେବେ ଗ୍ରାମବାସୀ ବାଧ୍ୟ ହୋଇ ନିଜର ସମସ୍ୟାର ସମାଧାନ ନିମନ୍ତେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।