ସରକାର ବଦଳିଗଲା, ମାତ୍ର ପ୍ରଶାସନିକ ଅଧିକାରୀଙ୍କ ତାଉ ଯାଉନି…

କୋଦଳା, ୨୯/୬ : ଜଣେ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ । ଫୋନରେ ଅଶାଳୀନ ବ୍ୟବହାରରେ ବାର୍ତ୍ତାଳାପ ହେଉଥିବା ଅଡିଓ କଲ୍ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ହେଉଛି ଭାଇରଲ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲଦାର ଓ କୋଦଳା ବିଜେପି ନେତା ତଥା ଏନଏସି ଅଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଧ୍ୟକ୍ଷଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି ପ୍ରଶାସନିକ ଅଧିକାରିଣୀ ତଥା କୋଦଳା ତହସିଲଦାର ସସ୍ମିତା ଶତପଥୀ । ବେଆଇନ୍ ମାଟି ଚାଲାଣକୁ ନେଇ ଅଧ୍ୟକ୍ଷ ଫୋନ୍ ମାଧ୍ୟମରେ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ତେବେ ତହସିଲଦାର ଘଟଣା ସଂପର୍କରେ ତଦନ୍ତ କରିବେ କଣ ଓଲଟା ଅଧ୍ୟକ୍ଷଙ୍କୁ ଫୋନ୍ ଯୋଗେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ତହସିଲଦାରଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ କିଛି ନୂଆ ଘଟଣା ନୂହେଁ । ପୂର୍ବରୁ ତହସିଲଦାର ମହୋଦୟା ସାଧାରଣଜନତାଙ୍କ ଉପରେ ବିଭିନ୍ନ ସମୟରେ ଜୁଲୁମ୍ ଦେଖାଇଥିବାର ନଜିର୍ ରହିଛି । ସାଧାରଣ ଲୋକେ କୌଣସି ଆପତ୍ତି ଅଭିଯୋଗ କରିବାକୁ କାର୍ଯ୍ୟାଳୟକୁ ଯାଇ ଦୁର୍ବ୍ୟବହାରର ଶିକାର ହୋଇଥିବା ପୂର୍ବରୁ ଅଭିଯୋଗ ରହିଛି । ଏପରିକି ତହସିଲଦାର ସସ୍ମିତା ଶତପଥୀ ଉପରିସ୍ଥ ଅଧିକାରୀମାନଙ୍କୁ ମଧ୍ୟ ଇନ୍ଦ୍ର ଚନ୍ଦ୍ର ମାନୁ ନଥିବା ଅଭିଯୋଗ ହୋଇଛି । ବିଜେଡି ସରକାରରେ ପ୍ରଶାସନିକ ଅଧିକାରୀମାନଙ୍କ ରାଜ୍ ଚାଲିଥିଲା । ତେବେ ବିଜେପିର ନୂଆ ସରକାର ଆସିଥିବା ବେଳେ କୋଦଳା ତହସିଲଦାରଙ୍କ ଏଭଳି ନାଲିଆଖି ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।