ପାଣି ପାଇଁ ବ୍ଲକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ…

ବୋଲଗଡ, ୨୨/୦୬ : ପାଣି ପାଇଁ ହାହାକାର । ଦୀର୍ଘ ୨ମାସ ଧରି ୩୦ଗୋଟି ପରିବାର ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବୋଲଗଡ଼ ବ୍ଲକର ଅସରଳା ପଞ୍ଚାୟତ ନନ୍ଦସାହିର ବାସିନ୍ଦାମାନେ ଶୁକ୍ରବାର ଦିନ ଗରାମାଠିଆ ବାଲଟି ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନାରୁ ପ୍ରକାଶ ଯେ, ଏହି ସାହିଟି ଏକ ଉଚ୍ଚା ସ୍ଥାନରେ ଅବସ୍ଥିତ ଥିବାରୁ ପାଇପଯୋଗେ ପାନୀୟ ଜଳ ଯିବାରେ ବହୁ ଅସୁବିଧା ସୃଷ୍ଟି ହେଉଛି । ତଥାପି ଅଳ୍ପ ସମୟପାଇଁ ଦିନକୁ ଥରେ ମାତ୍ର ପାଣି ଯୋଗାଇ ଦିଆଯାଉଥିଲା । ମାତ୍ର ଗତ ୨ମାସ ଧରି ପାଣି ମୋଟର ଖରାପ ହେବାରୁ ଜଳ ଯୋଗାଣ କାର୍ଯ୍ୟକ୍ରମ ବନ୍ଦ ରହିଛି । ଏହି ସାହିରେ କୈାଣସି ନଳକୂପ କିମ୍ବା ଖୋଲାକୂପ ନଥିବାରୁ ପାଣିପାଇଁ ୩୦ଟି ପରିବାର ବହୁ ହନ୍ତସନ୍ତ ହେଉଛନ୍ତି । ସେମାନେ ୧କି.ମି. ଦୂର ଏକ ନଈରୁ ଗୋଳିଆ ବାଲିମିଶା ପାଣି ଆଣି ବ୍ୟବହାର କରୁଛନ୍ତି । ଏ ନେଇ ବାରମ୍ବାର ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହିି ଶୁଣୁନଥିଲେ । ବାଧ୍ୟହୋଇ ସାହିର ଅନେକ ପୁରୁଷ ଓ ମହିଳାମାନେ ଗଙ୍ଗାସାଗର ବେହେରା, କୁଳମଣୀ ଉତ୍ତର କବାଟ, ସୂର୍ଯ୍ୟକାନ୍ତ ବଳିୟାରସିଂହ, ହାଡିବନ୍ଧୁ ପଟ୍ଟଯୋଶୀ, ଅଭିଶେକ ବେହେରାଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ବୋଲଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗରା ବାଲଟି ଧରି ଧାରଣାରେ ବସିଥିଲେ । ଏବିଡିଓ ରତିକାନ୍ତ ମିଶ୍ର, ପାନୀୟ ଜଳ ବିଭାଗ ସହାୟକ ଯନ୍ତ୍ରୀ ଶାଶ୍ୱତି ଜେନା ଲୋକମାନଙ୍କୁ ବୁଝାସୁଝା କରି ଧାରଣାରୁ ଉଠାଇଥିଲେ ଏବଂ ଉକ୍ତ ସାହିକି ଯାଇ ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦେଖିବାକୁ ବାକି ରହିଲା ଏହି ପ୍ରତିଶ୍ରୁତି କେତେ ଶୀଘ୍ର ପୂରଣ ହେଉଛି ।