ସେବେ ଡାକ୍ତର ହୋଇପାରିନଥିଲେ, ଏବେ ତିଆରି କଲେଣି ୧୨୩ ଡାକ୍ତର…

ଭୁବନେଶ୍ୱର, ୬/୧୦ : ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପ୍ନ ପୂରଣ କରି ଏକ ସୁନ୍ଦର ଭବିଷ୍ୟତ ଗଢିବାରେ ସର୍ବଦା ଏକ ଗୁରୁ ଦାୟିତ୍ୱ ନେଇ ଆସିଛି ଜିନ୍ଦେଗି ଫାଉଣ୍ଡେସନ । ଚଳିତ ବର୍ଷ ଜିନ୍ଦେଗି ଫାଉଣ୍ଡେସନରେ କୋଚିଂ ନେଉଥିବା ସମସ୍ତ ୨୦ ଜଣ ଛାତ୍ର ସମ୍ମାନଜନକ ନିଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଅବସରରେ ଛାତ୍ର ମାନଙ୍କ ସଫଳତାକୁ ନେଇ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ରୋଟାରୀ କ୍ଳବରେ ନିଟ୍ ୨୪ ରେଜଲ୍ଟ ଅଫ୍ ଜିନ୍ଦେଗି ଫାଉନଣ୍ଡେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ନିଟରେ ସଫଳତା ପାଇଥିବା ଜଗଦୀଶ ମହାପାତ୍ର ଜଣେ କୃଷକ ଘରର ପିଲା । ବାପା ଚାଷ ଓ ଦୈନନ୍ଦିନ ମଜୁରିରୁ ଯାହା ରୋଜଗାର କରନ୍ତି ସେଇଥିରେ ଚଳେ ତାଙ୍କର ପରିବାର । ହେଲେ ଜଗଦୀଶଙ୍କର ସ୍କୁଲ ବେଳରୁ ହିଁ ଇଛା ଥିଲା ସେ ଡାକ୍ତରୀ ପାଠ ପଢ଼ିବେ । ଏଥିପାଇଁ ତାଙ୍କୁ ବହୁ ସଂଘର୍ଷ ବି କରିବାକୁ ପଡ଼ିଛି । ପୁଅର ପାଠ ପଢା ପାଇଁ ବାପା ମାଆଙ୍କୁ ବାରମ୍ବାର ଋଣ କରିବାକୁ ପଡୁଥିଲା । ହେଲେ ସମସ୍ତ ଚେଷ୍ଟା ସତ୍ତ୍ୱେ ସେ ନିଟ୍ ପାଇବାରେ ସଫଳ ହୋଇ ପାରୁନଥିଲେ । ପରେ ସେ ଜିନ୍ଦେଗି ଫାଉଣ୍ଡେସନ ସଂସ୍ପର୍ଶରେ ଆସି ଚଳିତ ବର୍ଷ ୭୦୫ ସ୍କୋର କରିଛନ୍ତି । ଏବେ ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ ଆଡମିଶନ ପାଇବାକୁ ସ୍ଥିର କରିଛନ୍ତି ଜଗଦୀଶ ।
ସେହିଭଳି ଆଉ ଜଣେ ସଫଳ ଛାତ୍ର ହେଉଛନ୍ତି ପ୍ରିୟବ୍ରତ ବେହୁରି । ହଠାତ୍ ଅସୁସ୍ଥତା ଓ ପିତାଙ୍କ ମୃତ୍ୟୁ ପରେ ଅସହାୟ ଓ ଏକୁଟିଆ ହୋଇଯାଇଥିଲେ ପ୍ରିୟବ୍ରତ । ମା ଯାହା କିଛି ରୋଜଗାର କରନ୍ତି ତାହା ପ୍ରିୟବ୍ରତ ଓ ତାଙ୍କ ଭାଇ ମାନଙ୍କ ପେଟ ପାଇଁ ନିଅଣ୍ଟ । ଅସୁବିଧା ଭିତରେ ପ୍ରିୟବ୍ରତଙ୍କ ଆଗ୍ରହ ଓ ଉଦ୍ୟମକୁ ଦେଖି ତାଙ୍କୁ ସହଯୋଗର ହାତ ବଢ଼ାଏ ଜିନ୍ଦେଗି ଫାଉଣ୍ଡେସନ । ଜିନେ୍ଦଗି ଫାଉଣ୍ଡେସନର ମାର୍ଗଦର୍ଶନରେ ସେ ଚଳିତ ବର୍ଷ ନିଟ୍ ପରୀକ୍ଷାରେ ୭୦୦ ମାର୍କ ହାସଲ କରିଛନ୍ତି । ଏବେ ତାଙ୍କ ଡ଼ାକ୍ତର ହେବାର ସ୍ୱପ୍ନ ସତ ହେବାକୁ ଯାଉଛି ।
ସେହିଭଳି ଆଉ ଜଣେ ସଫଳ ଛାତ୍ର ହେଉଛନ୍ତି ସାମ୍ପଡା ମୁଦୁଲି । ସେ ମଧ୍ୟ ତାଙ୍କ ଜୀବନରେ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି । ଦିବ୍ୟାଙ୍ଗ ବାପା କଠିନ ଶାରୀରିକ କାର୍ଯ୍ୟ କରିବାକୁ ସକ୍ଷମ ନୁହଁନ୍ତି । ସାମ୍ପଡା ତାଙ୍କ ପରିବାରରେ ଅନେକ ରୋଗ ଦେଖିଛନ୍ତି କାରଣ ତାଙ୍କ ମା ମଧ୍ୟ ଆର୍ଥ୍ରାଇଟିସରେ ପୀଡିତ ଅଛନ୍ତି ଏବଂ ସେ ନିଜେ କିଡନୀ ରୋଗରେ ପୀଡିତ । ତାଙ୍କ ପରିବାର ସମସ୍ୟାରେ ଘାଣ୍ଟି ହୋଇ ଶେଷରେ ସେ ଜଣେ ଡାକ୍ତର ହେବାକୁ ସ୍ଥିର କରନ୍ତି । ତାଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇଥିଲା ଜିନ୍ଦେଗି ଫାଉଣ୍ଡେସନ । ସେମିତି ଆଉ ଜଣେ ଦୈନଦିନ ଶ୍ରମିକଙ୍କ ସୁନା ଝିଅ ହେଉଛନ୍ତି ଗାୟତ୍ରୀ ଦାସ । ତାଙ୍କ ଗାଁରେ ଚିକିତ୍ସା ସୁବିଧା ଅଭାବର ସମ୍ମୁଖୀନ ହୋଇ ନିଜେ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲେ । ସେହିଭଳି ବିହାରର ଖାଗରିଆର ଅଭିଷେକ କୁମାର ତାଙ୍କ ଜୀବନରେ ଏପର୍ଯ୍ୟନ୍ତ ବହୁତ କଷ୍ଟ ଦେଖିଛନ୍ତି । ତାଙ୍କ ପିତାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବଞ୍ଚିବା ପାଇଁ ଘରେ କାମ କରୁଥିଲେ । ତାଙ୍କୁ ଡ଼ାକ୍ତର କରିବା ପାଇଁ ତାଙ୍କ ଭାଇ ଅଧାରୁ ପାଠ ପଢା ବନ୍ଦ କରିଦେଲେ । ମାତ୍ର ଏବେ ସେ ନିଟ୍ ପାଇଛନ୍ତି ।
ଅନ୍ୟଜଣେ ସଫଳ ଛାତ୍ର ହେଉଛନ୍ତି କାଳୁ ଚରଣ ସୋରେନ । ଓଡ଼ିଶାର ଆନନ୍ଦପୁରର କାଳୁଚରଣ ପିଲାଦିନେ ବାପାଙ୍କୁ ହରାଇଥିଲେ । କିନ୍ତୁ ଏହି ସମସ୍ତ ଛାତ୍ରମାନେ ଡାକ୍ତର ହେବାର ସ୍ୱପ୍ନ ଛାଡି ନାହାଁନ୍ତି । ଏବଂ ଜିନ୍ଦେଗି ଫାଉଣ୍ଡେସନ୍ ସେମାନଙ୍କୁ ସେମାନଙ୍କର ସ୍ୱପ୍ନ ସାକାର କରିବାରେ ସାହାଯ୍ୟ କରି ଆସିଛି । ୨୦୧୭ ରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ, ୧୨୩ ଜଣ ଛାତ୍ର ଏପର୍ଯ୍ୟନ୍ତ ନିଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଚଳିତ ବର୍ଷ ଫାଉଣ୍ଡେସନର ସମସ୍ତ ୨୦ ଜଣ ଛାତ୍ର ନିଟ୍ର କଠିନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଫାଉଣ୍ଡେସନର ସଭାପତି ଅଜୟ ବାହାଦୁର ସିଂ କୁହନ୍ତି, “ଅତ୍ୟଧିକ କଷ୍ଟଦାୟକ ଆର୍ଥିକ ଅବସ୍ଥା ହେତୁ ମୁଁ ଡାକ୍ତର ହେବାର ସ୍ୱପ୍ନକୁ ପୂରଣ କରିପାରିଲି ନାହିଁ । ବର୍ତ୍ତମାନ, ମୁଁ ଏହି ଛାତ୍ରମାନଙ୍କ ମାଧ୍ୟମରେ ମୋର ସ୍ୱପ୍ନକୁ ପୂରଣ କରୁଛି । ଅଜୟ ନିଜେ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ, କିନ୍ତୁ ପିତାଙ୍କ ହଠାତ୍ ଅସୁସ୍ଥତା ହେତୁ ତାଙ୍କୁ ଅଧ୍ୟୟନ ଛାଡିବାକୁ ପଡିଲା । ତାଙ୍କ ପରିବାରକୁ ସହାୟତା କରିବା ପାଇଁ ଚା ଆଦି ବିକ୍ରି କରିବାକୁ ପଡ଼ୁଥିଲା । ନିରନ୍ତର ପରିଶ୍ରମ ଏବଂ ନିଷ୍ଠା ସହିତ, ଯେତେବେଳେ ସେ ଜଣେ ଶିକ୍ଷାବିତ୍ ଭାବରେ ତାଙ୍କ ଜୀବନରେ ସଫଳତା ହାସଲ କଲେ, ସେତେବେଳେ ସେ ତାଙ୍କ ପରି ଗରିବ ଛାତ୍ରମାନଙ୍କୁ ସାହାଯ୍ୟ କରିବାକୁ ଲାଗିଲେ । ସେ କୁହନ୍ତି “ମୁଁ ଡାକ୍ତର ହୋଇପାରିଲି ନାହିଁ କିନ୍ତୁ ବର୍ତ୍ତମାନ ମୁଁ ସମାଜ ପାଇଁ ଡାକ୍ତରମାନଙ୍କୁ ପ୍ରସ୍ତୁତ କରୁଛି । ଯାହା ମୋତେ ଆତ୍ମ ସନ୍ତୋଷ ଦେଉଛି ।”