ଛିଡୁନି ଅଙ୍କ… ଧର୍ମେନ୍ଦ୍ରଙ୍କୁ ମିଳିପାରେ ମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ…

କିଏ ହେବ ଓଡିଶାର ମୁଖ୍ୟମନ୍ତ୍ରୀ । ଏ ନେଇ ଛିଡିପାରିନି ଅଙ୍କ । ରାଜ୍ୟରେ ପରିବର୍ତ୍ତନର ସ୍ବର ନିଜର ଫଳାଫଳ ପ୍ରଦାନ କରିସାରିଛି । ଏହାରି ଭିତରେ ରାଜ୍ୟର ପ୍ରଗତିର ଭାର କିଏ ଉଠାଇବ ତାକୁ ନେଇ ଚର୍ଚ୍ଚା । ଜୁନ୍ ୧୦ ତାରିଖରେ ରାଜ୍ୟବାସୀ ନୂଆ ମୁଖ୍ୟମନ୍ତ୍ରୀ ପାଇବେ ବୋଲି ଆଶା ବାନ୍ଧିଥିଲେ । ମାତ୍ର ଏହି ଆଶାକୁ ପୂରଣ ହେବାକୁ ଆଉ କିଛି କ୍ଷଣ ଅପେକ୍ଷା କରିବାକୁ ପଡିପାରେ । କାରଣ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ତାରିଖ ଜୁନ୍ ୧୦ ପରିବର୍ତ୍ତେ ଜୁନ୍ ୧୨ରେ ହେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ବରର ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି । ମାତ୍ର ଏଯାଏଁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ସ୍ପଷ୍ଟ ହୋଇନାହିଁ । ଆଜି ତୃତୀୟଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ । ଏନ୍ଡିଏର ୫୨ରୁ ୫୫ ଜଣ ସାଂସଦ ମନ୍ତ୍ରୀ ଭାବେ ମଧ୍ୟ ଆଜି ଶପଥ ନେବେ ବୋଲି ଜଣାପଡ଼ିଛି । ମୋଦି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡିଶାକୁ ୨ରୁ ୩ଟି ମନ୍ତ୍ରୀ ପଦ ମିଳିବ ବୋଲି ଆଶା ପ୍ରକଟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଫୋନ୍ କଲ ଆସିଥିବା ବେଳେ ଧର୍ମେନ୍ଦ୍ର ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ଜୋର ଧରିଛି ।
ଅପରପକ୍ଷେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁମାନଙ୍କ ନାଁ ଆଲୋଚନା ହେଉଛି, ସେମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ରହିଛନ୍ତି । କିନ୍ତୁ ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ କିଛି ସର୍ପ୍ରାଇଜ୍ ବି ଦେଇପାରନ୍ତି ବୋଲି କୁହାଯାଉଛି ।