ନିର୍ବାଚନ ପରବର୍ତ୍ତୀ ହିଂସା ସନ୍ଦେହ, ଦୁର୍ବୁତ୍ତ ଜାଳି ଦେଲେ ୩ ଟି ବାଇକ୍…

ହିନ୍ଦୋଳ, ୦୧/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଓ ଏନ୍ଏସିର ୫ ନଂ ୱାର୍ଡରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଧୋନ୍ଦିନାଳୀ ସାହିରେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ୩ ଟି ବାଇକକୁ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ନେଇ ହିନ୍ଦୋଳ ଥାନାରେ ଅଭିଯୋଗ ହୋଇଛି । ପୋଲିସ୍ ଅଭିଯୋଗ ପାଇ ଘଟଣାର ପ୍ରାଥମିକ ତଦନ୍ତ କରି ସେହି ଗ୍ରାମର ୩ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ସହ ସର୍ତ୍ତମୂଳକ ଭାବେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି । ନିର୍ବାଚନ ସରିବା ପରେ ଏହିଭଳି ଘଟଣା ଲୋକ ଲୋଚନକୁ ଆସିବା ପରେ ନିର୍ବାଚନୀ ହିଂସା ଯୋଗୁଁ ଏହି କାଣ୍ଡ କରାଯାଇଥିବା ସନ୍ଦେହ ହେଉଛି । ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତ୍ରିରେ ଗ୍ରାମର ରାଜେଶ୍ ପାଳଙ୍କ ଘରେ କିଛି ଦୁବୃର୍ତ୍ତ ପଶି ତିନୋଟି ବାଇକରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଅଭିଯୋଗ ହେଇଥିଲା । ନିଆଁ ଲାଗି ଏକ ହିରୋ ହୋଣ୍ଡା ପାସନ୍ ପ୍ଲସ, ଏକ ହିରୋ ହୋଣ୍ଡା ପାସନ୍ ପ୍ରୋ ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ଏକ ହିରୋ ଡିଲକ୍ସ ଗାଡ଼ି ଆଂଶିକ ପୋଡି ଯାଇଛି । ନିର୍ବାଚନ ପରେ ଏହିଭଳି ଘଟଣା ଘଟି ଯାଇଥିବା ନେଇ ଏହି ଅଞ୍ଚଳରେ ନାନା ପ୍ରକାର କଥା ଶୁଣିବାକୁ ମିଳୁଛି । ପୋଲିସ ଅଭିଯୋଗ ପାଇ ସ୍ଥାନୀୟ ଅଞ୍ଚଳର ୪ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚରା କରି ସେମାନଙ୍କୁ ସର୍ତ୍ତମୂଳକ ଭାବେ ଛାଡିବା ସହ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଅପରାଧୀମାନଙ୍କୁ ଚିହ୍ନଟ କରି ପୋଲିସ୍ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।