ଧନୁତୀର ମାଡରେ ଯୁବକଙ୍କ ମୃତ୍ୟୁ…

ନୂଆପଡା, ୨୭/୦୫ : ଜଣେ ଯୁବକଙ୍କ ଧନୁତୀର ମାଡରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଅଭୟାରଣ୍ୟ ଭିତରେ ଅବସ୍ଥିତ ସୁନାବେଡ଼ା ପଂଚାୟତ ଦାଥୁନାମା ଗାଁରେ । ସୁନାବେଡ଼ା ପଂଚାୟତ ଦାଥୁନାମା ଗାଁର ଜଲାରାମ ପହରିଆ (୩୨)ଙ୍କ ଧନୁତୀର ମାଡରେ ସୁନାବେଡା ପଂଚାୟତ ଖଡ଼ାଙ୍ଗ ଗାଁର ରାମଚନ ପହଁରିଆ (୩୨) ଟଳି ପଡିଥିଲେ । ସୂଚନା ମୁତାବକ ଦାଥୁନାମା ଗାଁର ଜଲାରାମ ପହରିଆ ଓ ଖଡାଙ୍ଗ ଗାଁର ରାମଚନ ପହରିଆଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା । ଆଗରୁ ଦୁଇ ଜଣକ ମଧ୍ୟରେ ଗାଳି ଗୁଲଜ ଲାଗି ରହିଥାଏ । ମଧ୍ୟାହ୍ନ ସମୟରେ ରାମଚନ କୌଣସି କାମରେ ଦାଥୁନାମା ଗାଁକୁ ଆସିଥିଲେ । ରାମଚନକୁ ଦେଖିବାପରେ ଜଲାରାମ ଉତ୍ୟକ୍ତ ହୋଇ କାନ୍ଧରେ ଧରିଥିବା ଧନୁତୀର ବାହାର କରି ବିନ୍ଧି ଦେଇଥିଲେ । ତୀର ଯାଇ ସିଧା ସଳଖ ରାମଚନଙ୍କ ଛାତିରେ ବାଜିଥିଲା । ଘଟଣାସ୍ଥଳରେ ହିଁ ରାମଚନଙ୍କ ମୃତ୍ୟୁ ହୋଇଥିଲା । ଏପରିକି ରାମଚନଙ୍କ ମତୁ୍ୟ ପରେ ମଧ୍ୟ ଜଲାରାମ ମୃତକଙ୍କ ଛାତିରୁ ତୀର ବାହାର କରି ଘଟଣା ସ୍ଥଳରେ ଜଗି ରହିବା ସହିତ ପାଖକୁ ଯିଏ ଆସିଲେ ଜୀବନରେ ମାରିଦେବି ବୋଲି ଧମକ ଦେଉଥିଲେ । ଫଳରେ ଅଞ୍ଚଳ ଲୋକ ଭୟରେ ପାଖକୁ ଯାଇ ନ ଥିଲେ । ଅପରପକ୍ଷେ ଉକ୍ତ ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏବଂ ଘଟଣାକୁ ରାତ୍ରି ହୋଇଯାଇଥିବାରୁ ଅଭୟାରଣ୍ୟ ଭିତରକୁ ଯିବା ସମ୍ଭବ ହୋଇନଥିଲା । ପରେ ସକାଳୁ କୋମନା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।