ବିପଦରେ କୁଟୀର ଶିଳ୍ପ; ସରକାରୀ ସହାୟତା ପାଇଁ ନିବେଦନ…

ନୁଆପଡା, ୨୭/୦୫ : ବିପଦରେ କୁଟୀର ଶିଳ୍ପ । ଲଗାତର ଦୁଇ ବର୍ଷର କରୋନା ଲହର କୁଟୀର ଶିଳ୍ପୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ତେବେ ବର୍ତମାନ ସ୍ଥିତି ଟିକେ ସ୍ୱାଭାବିକ ହେବା ପରେ ବି କୁଟୀର ଶିଳ୍ପ ସାମଗ୍ରୀ ବଜାରକୁ ଆସିବା ପ୍ରାୟତଃ କମି ଯାଇଛି । କାରିଗରମାନଙ୍କ ପେଟପାଟଣା ପାଇଁ ଅନ୍ନ ମୁଠାଏ ଯୋଗାଡ କରିବା ମୁସ୍କିଲ ହୋଇପଡ଼ିଛି । ପୂର୍ବରୁ ଖରାଦିନେ ମାଟି ପାତ୍ରର ଚାହିଦା ରହୁଥିଲା । ଖରା ଦିନେ ଲୋକେ ମାଠିଆ ପାଣି ପିଇ ଶୋଷ ମେଣ୍ଟାଇ ଆତ୍ମତୃପ୍ତି କରୁଥିଲେ । ଯୁଗ ବଦଳିବା ସାଙ୍ଗକୁ ବଜାରରୁ ମାଟି ତିଆରି ପାତ୍ର ଗୁଡ଼ିକ ଉଭାନ ହେବାକୁ ଲାଗିଛି । ଫ୍ରିଜ୍, ୱାଟର ଫିଲ୍ଟର ଏବେ ମାଠିଆର ସ୍ଥାନ ଦଖଲ କରିଛି । ଫଳସ୍ୱରୁପ କୁମ୍ଭକାରଶାଳରୁ ମଧ୍ୟ ମାଠିଆ ବାହାରିବା କମି ଯାଇଛି । ସେହି ପରି ବାଉଁଶ କାରିଗର ମଧ୍ୟ ହତାଶ ହୋଇପଡିଛନ୍ତି । ଜାନୁଆରୀ ମାସାରୁ ସାଧାରଣତଃ ବିବାହ ଋତୁ ଆରମ୍ଭ ହୋଇଥାଏ । ଯାହା ମଇ ମାସ ପର୍ଯ୍ୟନ୍ତ ଚାଲେ । ଏହି ଅବଧି ଭିତରେ ବାଉଁଶ ତିଆରି ସାମଗ୍ରୀ ବିବାହ ଉତ୍ସବରେ ବ୍ୟବବୃତ ହୋଇଥାଏ । ବିବାହ ବ୍ରତ ଆଦି ଉତ୍ସବ ଉପରେ ହିଁ ବାଉଁଶ କାରିଗରଙ୍କ ଭରସା । ଏହା ବାଦ ଖରାଦିନେ କିଛି ସ୍ଥାନରେ ବାଉଁଶ ତାଟି ଲାଗି ତାକୁ ତିଆରି କରି କାରିଗରର ପରିବାର ଚଳିଥାଏ । ଏବେ ଖରାମାସ ଅଧା ଅତିକ୍ରାନ୍ତ କରିଛି । କିନ୍ତୁ ବାଉଁଶ କାରିଗରଙ୍କ ଆର୍ଥôକ ବ୍ୟବସ୍ଥା ସେଭଳି ଦୋହଲି ରହିଛି । ବାଉଁଶରୁ ତିଆରି ସାମଗ୍ରୀ ଗୁଡିକ ଏବେ ଲୋକଙ୍କ ଅଲୋଡ଼ା ହୋଇପଡ଼ିଛି । ଏଣେ ସରକାରଙ୍କ ତରଫରୁ କିଛି ସହାୟତା ମଧ୍ୟ ମିଳୁନାହିଁ । ଜଙ୍ଗଲରେ ବାଉଁଶର ଅଭାବ ମଧ୍ୟ କାରିଗରଙ୍କ ପେଟପାଟଣାରେ ପ୍ରଭାବ ପକାଉଛି । ଏ ନେଇ ସରକାର କୌଣସି ଭତା କିମ୍ବା ସରକାରୀ ଯୋଜନାରେ ସାମିଲ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।