ସମ୍ବଲପୁରରେ ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସହ ମେଡିକାଲ କଲେଜ କରିବ ଭାଜାପା ସରକାର : ଶାହା

ଆଜି ସମ୍ବଲପୁର ଅଇଁଠାପାଲିରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜନସଭାକୁ ସମ୍ବୋଧିତ କରିବା ସହ ସେ ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ କରିବା କ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣୟ ପ୍ରସଙ୍ଗ ଉଠାଇଛନ୍ତି । ଶାହ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ କହିଛନ୍ତି, ନବୀନ ଓଡିଶା ଉପରେ ‘ବାବୁସାହି’ ଲଦି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶା ଜନତାଙ୍କର ଅପମାନ କରିଛନ୍ତି । ନବୀନ ଓଡିଶା ସଂସ୍କୃତି, ଅସ୍ମିତା ଓ ଓଡିଆ ସ୍ୱାଭିମାନର ତଣ୍ଟି ଚିପି ଦେଉଛନ୍ତି । ୨୫ ବର୍ଷ ପରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତିକୁ ଆଧାର କରି ଓଡ଼ିଶାରେ ସରକାର ଗଢିବାକୁ ଯାଉଛି ବିଜେପି । ଏଥର ଓଡ଼ିଶାରେ ପଦ୍ମ ଫୁଟିବ । ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଗଲାଣି । ଏବେ ସୁଦ୍ଧା ବିଜେପି ୩୧୦ ଆସନ ପାର ହୋଇଗଲାଣି । ଆଗାମୀ ୨ ପର୍ଯ୍ୟାୟରେ ଏହି ଆସନ ୪୦୦ ଟପିବ । କେବଳ ଲୋକସଭାରେ ୪୦୦ ଟପିଲେ ହେବନି ବରଂ ଓଡ଼ିଶା ବିଧାନସଭାରେ ମଧ୍ୟ ୭୫ରୁ ଅଧିକ ଆସନ ଆବଶ୍ୟକ ।
ଏହାସହ ସେ କହିଛନ୍ତି ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି । ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ । କଥା ଦେଉଛି, ଭାଜପା ସରକାରରେ ଓଡ଼ିଶା ପାଇଁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ । ନବୀନ ସରକାର, ଖାଲି ଅଖାର ସରକାର । ମୋଦି ଚାଉଳ ଦେଉଛନ୍ତି, ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି । ଖାଲି ଅଖାରେ ପେଟ ପୁରେନି, ଯଦି ଦେବା କଥା ଚାଉଳ ଦିଅନ୍ତୁ । ବିଜେଡି ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ କ୍ଷେତ୍ର କରି ସାରିଲେଣି । ଏଠାରେ ମଠ ମନ୍ଦିରକୁ ଭାଙ୍ଗିବା ସହ ରଥଯାତ୍ରା ବନ୍ଦ କରିବାକୁ ଚକାନ୍ତ୍ର କରିଛି ଏ ବିଜେଡି ସରକାର । ଏପରିକି ରତ୍ନଭଣ୍ଡାର ଚାବି ହଜିଲାଣି, ନକଲି ଚାବି ବାହାରିଲାଣି । ଭାଜପା ସରକାର ଆସିଲେ ରତ୍ନଭଣ୍ଡାର ହିସାବ ଖୁଲାସା ହେବ । ରତ୍ନ ଭଣ୍ଡାର ରିପୋର୍ଟକୁ ଭାଜପା ଆସିଲେ ସାର୍ବଜନୀନ କରିବ ବୋଲି କହିଛନ୍ତି ଶାହା ।
ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ସମ୍ମାନ ବଢାଇଛନ୍ତି ମୋଦୀ । ଜି-୨୦ ସମ୍ମିଳନୀରେ କୋଣାର୍କ ସୂର୍ଯ୍ୟମନ୍ଦିରର ଫଟୋକୁ ସ୍ଥାନ ଦେଇ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରିଛନ୍ତି । ଓଡ଼ିଶା ପୂରା ଦେଶରେ ସବୁଠୁ ସମୃଦ୍ଧ ରାଜ୍ୟ ହୋଇଥିବା ବେଳେ ଏଠାକାର ଲୋକ ସବୁଠୁ ଗରିବ । ଓଡ଼ିଶା ପ୍ରାକୃତିକ ଓ ଖଣିଜ ସମ୍ପଦର ଗନ୍ତାଘର ହୋଇଥିବା ବେଳେ ଏଠାକାର ନବୀନ ସରକାରର ବାବୁ ଏହାକୁ ଲୁଟ୍ କରୁଛନ୍ତି । ବିଜେପି ସରକାରରେ ଖଣିଜ ପଦାର୍ଥ ରାଜ୍ୟ ବାହାରକୁ ଯିବନି ବରଂ ଏହିଠାରେ ହିଁ ଉତ୍ପାଦନ କରାଯିବ । ଯାହାର ଲାଭ ଓଡ଼ିଶାର ଯୁବବର୍ଗଙ୍କୁ ମିଳିବ । ଓଡ଼ିଶାର ଯୁବବର୍ଗଙ୍କୁ ଦାଦନ ଖଟିବାକୁ ଯିବାକୁ ପଡିବନି, ବରଂ ଏହିଠାରେ ହିଁ ସେମାନଙ୍କୁ ନିଯୁକ୍ତି ମିଳିବ । ଭୌଗଳିକ ଦୃଷ୍ଟିକୋଣରୁ ବେଶ ସମୃଦ୍ଧ କିନ୍ତୁ ଏଠାରେ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ନାହାନ୍ତି । ବିଜେପି ସରକାର ଆଣନ୍ତୁ, ଏଠାରେ ଜଣେ ପରିଶ୍ରମୀ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ କରିବୁ ଯିଏ ଓଡ଼ିଶା ପାଇଁ ଦିନରାତି କାମ କରିବ ।
ଆଜି ବି ଓଡ଼ିଶାରେ ୨୬ ଲକ୍ଷ ଲୋକଙ୍କ ପାଖରେ ପାନୀୟ ଜଳ ନାହିଁ । ସଡକ, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ବେଶ ପଛରେ ରହିଛି । ସମ୍ବଲପୁରରେ ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସହ ମେଡିକାଲ କଲେଜ କରିବୁ । ଓଡ଼ିଶାରେ ପେସା ଆଇନ ଲାଗୁ କରିବୁ । ଓଡ଼ିଶାରେ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ କରିବୁ । ୧୮ ମାସରେ ଚିଟଫଣ୍ଡ ଦୁର୍ନୀତିର ସବୁ ଦୋଷୀଙ୍କୁ ଜେଲକୁ ପଠାଯିବା ସହ ଲୋକଙ୍କୁ ସେମାନଙ୍କର ଟଙ୍କା ମିଳିବ । ଧାନ ଏମଏସପି ବାବଦକୁ ୩୧୦୦ ଟଙ୍କା କରିବା ସହ ୪୮ ଘଣ୍ଟାରେ ଏହାକୁ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ । କେନ୍ଦୁପତ୍ରରେ ୩୦% ବୋନସ ଦେବୁ । ୧ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବା ସହ ରାଉରକେଲା, ସମ୍ବଲପୁର, ପାରାଦ୍ୱୀପ ଓ ଧାମରାରେ ଇଣ୍ଡଷ୍ଟ୍ରରିଆଲ କରିଡର କରିବ ବିଜେପି ।
ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଲା । କଂଗ୍ରେସ ୭୦ ବର୍ଷ ଧରି ଏହାକୁ ବିରୋଧ କରୁଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହଯୋଗରେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଲା । ମୋଦୀ କାଶ୍ମୀରରୁ ଧାରା ୩୭୦ ହଟାଇବା ସହ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ତେଣୁ ଦେଶରେ ମୋଦୀ ସରକାର ସହ ରାଜ୍ୟରେ ମଧ୍ୟ ମୋଦୀ ସରକାର ପ୍ରତିଷ୍ଠା କରିବାକୁ ଆହ୍ବାନ ଦେଇଛନ୍ତି ଶାହା ।